ବଳାତ୍କାର ମାମଲାରେ ବିଏସ୍‌ଏଫ୍‌ ଅଧିକାରୀ ଗିରଫ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଯୁବତୀଙ୍କୁ ବଳାତ୍କାର କରି ଏହାର ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରିବା ଓ ୨୦ଲକ୍ଷ ଠକିନେବା ଅଭିଯୋଗରେ ସୋମବାର ଗିରଫ ହୋଇଛନ୍ତି ବିଏସ୍‌ଏଫ୍‌ ଡିଏସ୍‌ପି ସରୋଜ ମନୋଜ କୁମାର ମହାକୁଡ଼। ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଡାକ୍ତରୀମାଇନା ସମୟରେ ମନୋଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ଯୁବତୀ ଜଣକ ଫସାଇ ଦେଇଛନ୍ତି। ଯୁବତୀ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ଜମି କିଣାଇ ଦେବାକୁ କହି ୧୦ ଲକ୍ଷ ଟଙ୍କା ନେଇଥିଲେ। ଜମି ନ ଦେବାରୁ ମୁଁ ତାଙ୍କୁ ଦେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ ମାଗିଥିଲି। କିନ୍ତୁ ସେ ଟଙ୍କା ନ ଦେଇ ମୋତେ ଏଭଳି ମିଥ୍ୟା ଅଭିଯୋଗ ଆଣି ଫସାଇ ଦେଇଛନ୍ତି। ଏପରି କି ମୋର ଅଶ୍ଳୀଳ ଭିଡିଓ ସେ ହିଁ ତାଙ୍କ ଫେସ୍‌ବୁକ୍‌ ଆଇଡିରୁ ଭାଇରାଲ କରିଛନ୍ତି। କୋର୍ଟକୁ ମୁଁ ଏହାର ପ୍ରମାଣ ଦେବି ବୋଲି ମନୋଜ କହିଛନ୍ତି।
ସୂଚନାଯୋଗ୍ୟ, ମନୋଜ ଜଟଣୀ ଅଞ୍ଚଳରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍‌ରେ କାର୍ଯ୍ୟ କରନ୍ତି। ତାଙ୍କ ଘର ଜଗତ୍‌ସିଂପୁର ଜିଲାରେ ହୋଇଥିବାବେଳେ ସେ ଚନ୍ଦକା ନିକଟ ଏକ ଆପାର୍ଟମେଣ୍ଟରେ ପରିବାର ସହ ରୁହନ୍ତି। ଅଭିଯୋଗକାରିଣୀ ଯୁବତୀଙ୍କ ଘର କଟକରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୭ରେ ଏକ ଜାଗା କିଣିବା ପାଇଁ ମନୋଜ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ମନୋଜ ବିଭିନ୍ନ ଆଳରେ ତାଙ୍କୁ ଦେଖା କରିବା ପାଇଁ ଡାକି ସମ୍ପର୍କ ବଢ଼ାଇଥିଲେ। ପରେ ବିବାହ ଆଳରେ ତାଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ମନୋଜ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରିଥିଲେ। ପରେ ଏହି ଭିଡିଓ ଭାଇରାଲ କରାଇ ଦେବାର ଧମକ ଦେଇ ଯୁବତୀଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ଏପରି କି ଭିଡିଓ ଡିଲିଟ୍‌ କରିବାକୁ ତାଙ୍କଠାରୁ ୨୦ଲକ୍ଷ ଟଙ୍କା ନେଇଥିବା ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ।

Share