Categories: ଜାତୀୟ

ବଳାତ୍କାର ମାମଲାରେ ସ୍ବାମୀ ଚିନ୍ମୟାନନ୍ଦ ଗିରଫ

ଶାହଜହାନପୁର,୨୦।୯: ଶେଷରେ ବଳାତ୍କାର ମାମଲାରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ଗିରଫ ହୋଇଛନ୍ତି। ଏବେ ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଇଛି। ସ୍ବାମୀଙ୍କ ନାଁରେ ଉତ୍ତର ପ୍ରଦେଶର ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜର ଜଣେ ସ୍ନାତକୋତ୍ତର ଡିଗ୍ରୀଧାରୀ ଛାତ୍ରୀ ଗୁରୁତର ଅଭିଯୋଗ ଆଣି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଉତ୍ତରପ୍ରଦେଶ ପୋଲିସ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା।
ମୋ ସହ ସେ ବଳାତ୍କାର କରିଛନ୍ତି ଓ ମୋତେ ବର୍ଷେ କାଳ ଶାରିରୀକ ନିର୍ଯାତନା ଦେଇଛନ୍ତି ବୋଲି ପୀଡିତା ଜଣଙ୍କ କହିଥିଲେ। ଅଭିଯୋଗ ଆଣିଥିବା ଛାତ୍ରୀ ଜଣକ ଆହୁରି କହିଥିଲେ ଯେ, ଶାହଜହାନପୁର ପୋଲିସ ଷ୍ଟେଶନରେ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ନେଇ ଏତଲା କରିଥିଲେ ବି ତାହାକୁ ପୋଲିସ ଗ୍ରହଣ କରି ନ ଥିଲା। ଏଣୁ ସେ ବାଧ୍ୟ ହୋଇ ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ବୋଲି ଗଣମାଧ୍ୟମ ଆଗରେ ମୁହଁ ଘୋଡାଇ ବୟାନ ଦେଇଥିଲେ। ଦିଲ୍ଲୀ ପୋଲିସ ପୀଡିତା ଅଭିଯୋଗ ଆଧାରରେ ଏତଲା ରୁଜୁ କରି ତଦନ୍ତ ପାଇଁ ଶାହଜହାନପୁର ପୋଲିସ ନିକଟକୁ ପଠାଇ ଦେଇଥିଲା।

Share