Categories: ଗଞ୍ଜାମ

ବଳିପ୍ରଥା ପାଇଁ ଲୋଭ ଦାୟୀ

ବ୍ରହ୍ମପୁର ଅଫିସ୍‌,୨୪ା୬-ବିନା ପରିଶ୍ରମରେ ଅଧିକ ହାସଲ କରିବାର ଯେଉଁ ଲୋଭ ମଣିଷ ମାନସିକତାରେ ଦେଖିବାକୁ ମିଳିଛି, ସେଥିରୁ ହିଁ ଜନ୍ମ ନେଇଛି ବଳିପ୍ରଥା ଭଳି ଏକ ଘୃଣ୍ୟ ପରମ୍ପରା। କେବଳ ଆଇନ୍‌ ନୁହଁ, ବ୍ୟାପକ ସଚେତନତା ଦ୍ୱାରା ଏହି ପ୍ରଥାକୁ ମୂଳପୋଛ କରାଯାଇପାରିବ ବୋଲି ଆଲୋଚକମାନେ ପ୍ରକାଶ କରିଛନ୍ତି । ମାନବବାଦୀ ହେତୁବାଦୀ ସଂଗଠନ ଗଞ୍ଜାମ ଜିଲା ଆନୁକୂଲ୍ୟରେ ରବିବାର ସ୍ଥାନୀୟ ସଂକଳ୍ପ ସ୍କୁଲ ପରିସରରେ ‘ଏକବିଂଶ ଶତାବ୍ଦୀରେ ମଧ୍ୟ ବଳିପ୍ରଥା ଚାଲିଛି କେମିତି’ ଶୀର୍ଷକରେ ଆୟୋଜିତ ଆଲୋଚନାଚକ୍ରରେ ଭାଗନେଇ ବକ୍ତାମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସଂଗଠନର ସଭାପତି ଇ.ଟି. ରାଓ ଏଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ଇଂ. ରାଜା ସୁରେଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରଥମେ ସଂଗଠନର ସମ୍ପାଦକ କେ. ନନ୍ଦେଶୁ ସେନାପତି ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଆଲୋଚ୍ୟ ବିଷୟ ଉପରେ ସମ୍ୟକ ସୂଚନା ଦେଇଥିଲେ । ଆଜି ଆମ ସମାଜ ଏକବିାଂ ଶତାବ୍ଦିରେ ଏକ ଉନ୍ନତି ଓ ସଭ୍ୟ ଭାବେ ପରିଗଣିତ । ସମାଜ ବିଜ୍ଞାନର ଶୀର୍ଷରେ ପହଞ୍ଚି ପାରିଛି । ତଥାପି ବିଭିନ୍ନ ରୋଗର ନିରାକରଣ ପାଇଁ ବଳିପ୍ରଥା ଦେଖିବାକୁ ମିଳୁଛି । ଦେବାଦେବୀଙ୍କ ପାଖରେ ବଳି ପକାଇ ଅତ୍ୟଧିକ ହାସଲ କରିବାର ଲୋଭ ଯୋଗୁ ଏହି ପରମ୍ପରା ଜୀବିତ ଅଛି । ଏହା ବିରୋଧରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଲୋଚନାଚକ୍ରରେ ସ୍ବତନ୍ତ୍ର ବକ୍ତା ଭାବେ ସୋମନାଥ ବେହେରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ପୃଥ୍ବୀକ ମିଶ୍ର ଏବଂ ବିଘ୍ନେଶ୍ୱର ସାହୁ ସେମାନଙ୍କ ମତ ରଖିଥିଲେ । କିଶୋର ଚନ୍ଦ୍ର ମିଶ୍ର, ଅବନୀ କୁମାର ଗୟା, ପ୍ରତାପ କୁମାର, ସୁନେନ କୁମାର ପାଣିଗ୍ରାହୀ, ଶିବାନୀ ଶଙ୍କର ମିଶ୍ର, ମହମ୍ମଦ ସୁକୁର, ଅଧ୍ୟାପକ ଅମୀର ପ୍ରସାଦ ସାହୁ, ଅଧ୍ୟାପିକା ରାଜବାଳା ତ୍ରିପାଠୀ, ଅଧ୍ୟାପକ ସୁଶାନ୍ତ ପ୍ରଧାନ, ବି.ବାଳକୃଷ୍ଣ, ଅଧ୍ୟାପିକା ଦୁର୍ଗାବାଳା ଟୁଡ଼ୁ, ଡ. ବିଧୁପ୍ରଭା ରଥଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।