Categories: ଖେଳ

ବଶଫାୟାର ରିଲିଫ ମ୍ୟାଚ୍‌ ଖେଳିବେ ଲାରା

ସିଡ୍‌ନୀ,୧।୨- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ କ୍ଷୟକ୍ଷତି ଭରଣ ପାଇଁ ଚ୍ୟାରିଟି ମ୍ୟାଚ୍‌ରେ ଖେଳିବେ। ଷ୍ଟାଇଲିଶ ବାମହାତୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ୧୩୧ ଟେଷ୍ଟ ଖେଳି ୫୨.୮୯ ଆଭରେଜରେ ୧୧,୯୫୩ ରନ୍‌ କରିଛନ୍ତି। ଦିନିକିଆ ଫର୍ମାଟରେ ୨୯୯ ମ୍ୟାଚ୍‌ରେ ୧୦,୪୦୫ ରନ୍‌ କରିଛନ୍ତି। ତାଙ୍କ ସହ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଯୁବରାଜ ସିଂ ଓ କିମ୍ବଦନ୍ତୀ ପାକିସ୍ତାନ ପେସର ଓ୍ବାସିମ ଆକ୍ରମ ଖେଳିବେ। ଏମାନଙ୍କ ବ୍ୟତୀତ ମାଥ୍ୟୁ ହେଡେନ, ରିକି ପଣ୍ଟିଂ, ଶେନ ଓ୍ବର୍ନ, ଆଣ୍ଡ୍ର୍ୟୁ ସାଇମଣ୍ଡସ, ବ୍ରାଡ ହାଡିନ, ମାଇକ ହସି, ଆଡାମ ଗିଲଖ୍ରିଷ୍ଟ, ବ୍ରେଟ ଲି, ଜଷ୍ଟିନ ଲାଙ୍ଗର, ମାଇକେଲ କ୍ଲାର୍କ, ଶେନ ଓ୍ବାଟଶନ ପ୍ରମୁଖ ଅଷ୍ଟ୍ରେଲିଆନ ଖେଳାଳି ଚ୍ୟାରିଟି ମ୍ୟାଚ୍‌ରେ ଭାଗନେବେ। ବଶଫାୟାର କ୍ରିକେଟ ବାଶ ନାମରେ ନାମିତ ଏହି ମ୍ୟାଚ୍‌ ଆସନ୍ତା ୮ ତାରିଖ ତଥା ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଖେଳାଯିବ। ସମାନ ଦିନ କମନଓ୍ବେଲଥ ବ୍ୟାଙ୍କ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଓ ବିଗ୍‌ ବାଶ ଲିଗ୍‌ (ବିବିଏଲ) ଫାଇନାଲ ମଧ୍ୟ ଖେଳାଯିବ।

Share