ବସନ୍ତଙ୍କ ମାୟାରେ ଶ୍ରୀଧର

ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ। ହେଲେ ସେ ବସନ୍ତ କିଏ? ସେ ହେଲେ ଓଡ଼ିଆ ସିନେମା ଜଗତର ଭୀଷ୍ମ ପିତାମହ ଭାବରେ ପରିିଚିତ ପ୍ରଯୋଜକ ବସନ୍ତ ନାୟକ। ଯେତେବେଳେ ଓଡ଼ିଆ ସିନେମା ଏକ ଘଡ଼ିସନ୍ଧି ସମୟରେ ଗତି କରୁଥିଲା ସେତେବେଳେ ବସନ୍ତ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇ ଏପରି ସିନେମା ନିର୍ମାଣ କରିଥିଲେ ଯାହା ଏ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି। ଶ୍ରୀଧର ଫିଲ୍ମ ନିର୍ମାଣ ପୂର୍ବରୁ ବସନ୍ତଙ୍କ ଜୀବନାଦର୍ଶରେ ପ୍ରଭାବିତ ହୋଇଥିଲେ। ଏ ସମ୍ପର୍କରେ ସେ କହନ୍ତି, ‘ସେ ମୋ ପିତୃତୁଲ୍ୟ। ଫିଲ୍ମଟିଏ ପ୍ରଯୋଜନା କିପରି କରାଯାଏ ତାହାର କାଇଦା ତାଙ୍କୁ ଜଣାଥିଲା। ମୋ ସ୍କୁଲ କ୍ୟାରିୟରରୁ ମଁୁ
ତାଙ୍କୁ ଜାଣିଛି। ତାଙ୍କ ଦ୍ୱାରା ପ୍ରଯୋଜିତ ସମସ୍ତ ସିନେମା ମୁଁ ଦେଖିଛି, ଆଉ ସିନେମା ନିର୍ମାଣ ସମ୍ପର୍କରେ ଅନେକ କଥା ଶିଖିଛି। ମୋ ଜୀବନରେ ସେ ଏକ ଆଲୋକବର୍ତ୍ତିକା ସଦୃଶ। ମୁଁ ଜୀବନରେ କେବେ ବସନ୍ତ ନାୟକ ହୋଇପାରିବିନି, କିନ୍ତୁ ତାଙ୍କ ପରି ସୁନ୍ଦର ତଥା ଦର୍ଶକଙ୍କ ମନକୁ ଛୁଇଁଲା ପରି ସିନେମା ନିର୍ମାଣ କରିବାକୁ ନିଶ୍ଚୟ ଚେଷ୍ଟା କରିବି। ତାଙ୍କର ଜଣେ ଫ୍ୟାନ୍‌ ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ସୂଚନାଯୋଗ୍ୟ, ଆମ ରାଜ୍ୟର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଶ୍ରୀଧରଙ୍କ ପ୍ରଯୋଜିତ ତଥା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ନିର୍ଦ୍ଦେଶକ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶିତ ‘ପାଟଣାଗଡ଼’ ରିଲିଜ ଅପେକ୍ଷାରେ ରହିଛି।

Share