Categories: ମେଟ୍ରୋ

ବସ୍ତିମୁକ୍ତ ଭୁବନେଶ୍ୱର, ଉଚ୍ଛେଦ ହେବ ୪ ବସ୍ତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଦଳ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରେ ୪ଟି ବସ୍ତିରେ ଉଚ୍ଛେଦ କରାଯିବ। ଶୁକ୍ରବାର ନୀଳମାଧବ ବସ୍ତିର ‘ସି’ ବ୍ଲକ୍‌ରେ ଉଚ୍ଛେଦ କରାଯିବାକୁ ଥିବା ବେଳେ ଆସନ୍ତା ୪ ତାରିଖ ଦିନ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଉଚ୍ଛେଦ କରାଯିବ। ଆସନ୍ତା ୮ ତାରିଖ ଯାଏ ଦଳ ଦ୍ୱାରା ଲଗାତାର ଉଚ୍ଛେଦ ଥିବା ବେଳେ ଏହି ଦୁଇ ଉଚ୍ଛେଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଛି ବୋଲି ଜଣାପଡ଼ିଛି। ବସ୍ତିବାସିନ୍ଦାଙ୍କ ପାଇଁ ହାଉସିଂ ସ୍କିମ୍‌ରେ ଘର କରିବା ଲାଗି ଚନ୍ଦ୍ରଶେଖରପୁର କେୟାର ହସ୍ପିଟାଲ ନିକଟରେ ସ୍ଥାନ ଚିହ୍ନଟ ହୋଇଥିଲା। ଏ ପରିପ୍ରେକ୍ଷୀରେ ପୂର୍ବରୁ ନୀଳମାଧବ ବସ୍ତିର ବ୍ଲକ ଏକୁ ଭଙ୍ଗାଯାଇଥିଲା। ରାଜୀବ ଆବାସ ଯୋଜନା (ଆରଏଓ୍ବାଇ)ରେ ନିର୍ମିତ ଘର ବାହାରିବାରୁ ବ୍ଲକ୍‌ ବି ଓ ସିରେ ଉଚ୍ଛେଦ କରାଯାଇପାରି ନ ଥିଲା। ଏବେ ସେମାନଙ୍କ ସ୍ଥାନାନ୍ତର କରାଯିବା ସହ ଉକ୍ତ ସ୍ଥାନରେ ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି। ସେହିପରି ଖଣ୍ଡଗିରିରୁ ବାରଙ୍ଗକୁ ଯୋଡ଼ୁଥିବା ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା ପାଇଁ ସ୍ଥାନ ଚିହ୍ନଟ ହୋଇଥିବା ବେଳେ ଗୌଡ ବସ୍ତି, ବୀରବସ ବସ୍ତି ଓ ଲକ୍ଷ୍ମୀପୁର ବସ୍ତିରେ ଥିବା ଜବରଦଖଲ ସ୍ଥାନକୁ ଉଚ୍ଛେଦ କରାଯିବ। ୨୦୦ ଫୁଟର ରାସ୍ତା ନିର୍ମାଣ ସକାଶେ ଏହି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ ଜଣାପଡ଼ିଛି।

Share