ବସ୍ତିରେ ହୋଇନାହିଁ ସଂକ୍ରମଣ: ବିଏମ୍‌ସି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନାନା ପଦକ୍ଷେପ ହାତକୁ ନେଇଛି। ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରର ସମସ୍ତ ବସ୍ତି ଅଞ୍ଚଳକୁ ଆକ୍ଟିଭ୍‌ ସର୍ଭିଲାନ୍ସରେ ରଖାଯାଇଛି। ଲକ୍ଷଣ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏଯାବତ୍‌ ବସ୍ତି ଅଞ୍ଚଳରେ କୌଣସି ସଂକ୍ରମଣ ହୋଇ ନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ଓ ବିଏମ୍‌ସି ଡାକ୍ତରୀ ଦଳର ରିପୋର୍ଟରେ କୌଣସି ବି ପଜିଟିଭ୍‌ ଆସିନାହିଁ। ଏଥିସହ ଅଙ୍ଗନଓ୍ବାଡି, ଆଶା କର୍ମୀମାନେ ଦୈନିକ ଘରକୁ ଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ବିଏମ୍‌ସି ଦାୟିତ୍ୱ ଦେଇଛି। ଥଣ୍ଡା, କାଶ, ଜ୍ୱର ରହୁଥିଲେ ତୁରନ୍ତ ତାଙ୍କ ନାମ ପଞ୍ଜୀକରଣ କରି ବିଏମ୍‌ସିକୁ ଅବଗତ କରିବା ପାଇଁ କୁହାଯାଇଛି। ସୂଚନା ମିଳିବାମାତ୍ରେ ଡାକ୍ତରୀ ଦଳ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ବିଏମ୍‌ସି ନିଜର ଡାକ୍ତରୀ ଦଳକୁ ଭିନ୍ନ ଭିନ୍ନ ଜୋନ୍‌ ଦାୟିତ୍ୱ ଦେଇଛି। ଅଧିକ ସତର୍କତାର ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଥିବା ସାହୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ୟରାଜ୍ୟରେ ଅଧିକାଂଶ ପଜିଟିଭ୍‌ ବସ୍ତି ଅଞ୍ଚଳରୁ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ସ୍ପଷ୍ଟ କରାଯାଇଛି।

Share