Categories: ମେଟ୍ରୋ

ବସ୍ତି ମହିଳାଙ୍କ ରଜ ମହୋତ୍ସବ : ବଛାହେଲେ ୩ ରଜ କୁଇନ୍‌

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର, ଏଜୁକେଶନ ଆଣ୍ଡ ହେଲଥ୍‌(ସ୍ନେହ) ଆନୁକୂଲ୍ୟରେ ସ୍ଥାନୀୟ ସାଲିଆସାହି ବସ୍ତିର ମହିଳା ଏବଂ ଶିଶୁଙ୍କୁ ନେଇ ରଜ ମହୋତ୍ସବ ଆୟୋଜିତ ହୋଇଯାଇଛି। ସାଲିଆସାହିର ବିଭିନ୍ନ ବସ୍ତିରେ ରହୁଥିବା ମହିଳାଙ୍କ ପାଇଁ ରଜ ପୂର୍ବରୁ ମେହେନ୍ଦୀ, ଷ୍ଟ୍ର-ବଲ୍‌ ଓ ମୁରୁଜ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ବଛାଯାଇ ଶେଷ ରଜରେ ମେଫେୟାର ବସ୍ତିରେ ଥିବା ‘ସ୍ନେହ’ ସେଲ୍‌ଟରଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା। ଗ୍ରାଣ୍ଡ ଫିନାଲେରେ ରଙ୍ଗୋଲିରେ ସୁନିତା ପରିଡ଼ା, ଷ୍ଟ୍ର-ବଲ୍‌ରେ ଅଭିଲିପ୍ସା ସେନ୍‌ ଓ ମେହେନ୍ଦୀରେ ପିଙ୍କି ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌, ଚିର୍‌କୁଟ୍‌ ଫିଲ୍ମର ନାୟକ ଅରିଜିତ୍‌, ପୂର୍ବତନ କର୍ପୋରେଟର ଭାରତୀ ସିଂ, ମର୍ନିଂ କ୍ଲବ ସମ୍ପାଦକ ଅମୂଲ୍ୟ କୁମାର ଦାସ, କୋଲକାତାସ୍ଥିତ ମେନୋନାଇଟ୍‌ ସେଣ୍ଟ୍ରାଲ୍‌ କମିଟି ପ୍ରକଳ୍ପ ଅଧିକାରୀ ମଞ୍ଜୁଳା ପଟ୍ଟନାୟକ ଓ ଡା. ବିଶ୍ୱକଲ୍ୟାଣୀ ଦାସ ଯୋଗଦେଇ ୩ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୩ ପ୍ରତିଯୋଗୀଙ୍କୁ ରଜ କୁଇନ୍‌ ମୁକୁଟ ପିନ୍ଧାଇଥିଲେ। ଏହି ଅବସରରେ ବସ୍ତିର ମହିଳା ଓ ଝିଅମାନେ ମେହେନ୍ଦୀ ଲଗାଇବା ସହ ରଜଦୋଳିର ମଜା ନେଇଥିଲେ। ଏହାସହ ରଜ ସଂକ୍ରାନ୍ତିରେ ଯୁବକମାନଙ୍କ ମଧ୍ୟରେ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ‘ସ୍ନେହ’ର ଉପଦେଷ୍ଟା ସୁବାସ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ନିରଞ୍ଜନ ସାହୁ ଉପସ୍ଥାପନା କରିଥିଲେ।

Share