ବସ୍‌ରୁ ୬୦ ହଜାର ଟଙ୍କାର ଏସିଡ୍‌ ଜବତ: ୩ ଅଟକ

ବାଲେଶ୍ୱର ଅଫିସ/ବସ୍ତା,୭।୯(ନି.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଘରୋଇ ବସ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଚୋରା ଏସିଟିକ୍‌ ଏସିଡ୍‌ ଜବତ କରିଛି। ଚୋରାଚାଲାଣ ଅଭିଯୋଗରେ ବସ୍‌ର ୩ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନାଯୋଗ୍ୟ, କଲିକତାରୁ ଧାମରା ଯାଉଥିବା ଉକ୍ତ ବସରେ ଏସିଡ୍‌ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା। ମଥାନୀ କଟିପୋଲସ୍ଥ ଏକ ଢାବା ନିକଟରେ ପୋଲିସ ଚଢ଼ାଉ କରି ଏସିଡ୍‌ ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ହଜାରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି।