ବସ୍‌ରେ ଏସ୍‌ଓପି ପାଳନ ନେଇ ଯାଞ୍ଚ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମସ୍ତ ଘରୋଇ ଓ ସରକାରୀ ସଂସ୍ଥାକୁ ଷ୍ଟାଣ୍ଡାର୍ଡ ଅପରେଶନ ପ୍ରୋସିଡ୍ୟୁୟର (ଏସ୍‌ଓପି) ଜାରି କରିଛି। ଉକ୍ତ ଏସ୍‌ଓପିକୁ ସଂସ୍ଥାଗୁଡ଼ିକ ପାଳନ କରୁଛନ୍ତି କି ନାହିଁ ସେ ନେଇ ନିୟମିତ ଯାଞ୍ଚ କରାଯାଉଛି। ଏହି ମର୍ମରେ ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ସହ ଆର୍‌ଟିଓ ଅଧିକାରୀ ଏବଂ କମିଶନରେଟ ପୋଲିସ୍‌ର ମିଳିତ ଟିମ୍‌ ଗୁରୁବାର ରାସ୍ତାରେ ଚଳାଚଳ କରୁଥିବା ବିଭିନ୍ନ ଘରୋଇ ବସ୍‌ ଯାଞ୍ଚ କରିଛନ୍ତି। ଜୋନାଲ ଡେପୁଟି କମିଶନର ରଥଙ୍କ ନେତୃତ୍ୱରେ ସ୍ଥାନୀୟ କଳ୍ପନା ଛକସ୍ଥିତ ବସ୍‌ଷ୍ଟାଣ୍ଡରେ ଏହି ଯାଞ୍ଚ କରାଯାଇଥିଲା। ବସ୍‌ଗୁଡ଼ିକ ଅଧିକ ଯାତ୍ରୀ ନେଉଛନ୍ତି କି ନାହିଁ ଓ ବସ୍‌ଯାତ୍ରୀଙ୍କ ହାତକୁ ସାନିଟାଇଜରରେ ସଫା କରାଯାଉଛି କି ନାହିଁ ତାହା ଯାଞ୍ଚ ହୋଇଥିଲା। ବସ୍‌ ମାଲିକମାନଙ୍କ ପାଇଁ ବିଏମ୍‌ସି ଜାରି କରିଥିବା ଏସ୍‌ଓପିକୁ ସେମାନେ ମାନୁଛନ୍ତି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଯାଞ୍ଚ କରାଯାଇଥିଲା। କଟକରୁ ପୁରୀ, ଭୁବନେଶ୍ୱରରୁ ପୁରୀ ଯାଉଥିବା ଘରୋଇ ଓ ସରକାରୀ ବସ୍‌ ସମେତ ଟୁରିଷ୍ଟ ବସ୍‌ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଘରୋଇ, ସରକାରୀ ଓ ଟୁରିଷ୍ଟ ବସ୍‌ଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା କମ୍‌ ଥିବାବେଳେ ବସ୍‌ କର୍ତ୍ତୃପକ୍ଷ ଏସ୍‌ଓପିକୁ ମାନୁଥିବା ଦେଖିବାକୁ ମିଳିଥିଲା। ଆଗକୁ ମଧ୍ୟ ଏହିପରି ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିବା ସହ ବସ୍‌ କର୍ତ୍ତୃପକ୍ଷ ସଚେତନ ହୋଇ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Share