ବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଚିନ୍ତା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହାଇଛି। ରାଜ୍ୟକୁ ୫ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିବେ। ଏମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଟ୍ରେନ୍‌ ଓ ବିମାନ ସେବା ସ୍ବାଭାବିକ ନ ହେଲେ ଶ୍ରମିକମାନଙ୍କୁ ବସ୍‌ ଯୋଗେ ଆଣିବା ପାଇଁ ଚେଷ୍ଟା କରାଯିବ। ତେବେ ଏତେ ଲୋକଙ୍କୁ କିପରି ବସ୍‌ ଯୋଗେ ଅଣାଯିବ ତାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଗଲାଣି। କାରଣ ରାଜ୍ୟରେ ରହିଛି ୧୫ ହଜାର ବସ୍‌। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚିନ୍ତା ପ୍ରକଟ କରିବା ସହିତ କହିଛନ୍ତି ଯେ, ସେମାନଙ୍କୁ ଫେରାଇ ଆଣିବା ପାଇଁ ଆମ ରାଜ୍ୟରେ ଥିବା ୧୫ହଜାର ବସ୍‌ ବ୍ୟବହାର କରାଯିବ। ଅନ୍ୟ ପାଖାପାଖି ରାଜ୍ୟଗୁଡ଼ିକରୁ ମଧ୍ୟ ଅଣାଯିବ। ଯଦି ଅନ୍ୟ ରାଜ୍ୟରୁ ସମ୍ଭବ ହେବ ତେବେ ସେମାନଙ୍କୁ ପରିବହନ ମୂଲ୍ୟ ଦେଇ ଅଣାଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବସ୍‌ରେ ଆସିବା ସମୟ ସାପେକ୍ଷ। ଯଦି କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନରେ ଅଣାଯିବାର ବ୍ୟବସ୍ଥା କରନ୍ତି ତେବେ ଭଲ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ବସ୍‌ରେ ଲୋକଙ୍କୁ ଫେରାଇ ଆଣିବା ନିଷ୍ପତ୍ତିକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ, ସୁରଟରେ ଫସି ରହିଥିବା ୧ ଲକ୍ଷ ଲୋକଙ୍କୁ ବସ୍‌ରେ ଆଣିବା ସମ୍ଭବ ନୁହେଁ। ଏମାନଙ୍କୁ ଆଣିବା ପାଇଁ ଟ୍ରେନ୍‌ର ବ୍ୟବସ୍ଥା କରାଯିବା ଉଚିତ। ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନିଅନ୍ତୁ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି।

Share