ବସ୍‌ରେ ଲାଗିଲା କଟକଣା: ଯାତ୍ରୀଙ୍କୁ ଛିଡ଼ା କରି ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୩ (ବ୍ୟୁରୋ)-କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରିଚାଲିଛି। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ସାମାଜିକ ମିଳାମିଶାକୁ ନିଷେଧ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ, ଶପିଙ୍ଗ୍‌ ମଲ୍‌, ସୁଇମିଂ ପୁଲ୍‌, ସିନେମା ହଲ୍‌ ଆଦିକୁ ବନ୍ଦ କରାଯାଇଛି। ବସ୍‌ରେ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଗୋଟିଏ ବସ୍‌ରେ ସିଟ୍‌ ଠାରୁ ଢେର୍‌ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। କରୋନା ଭୂତାଣୁର ଭୟାବହତାକୁ ଦେଖି ରାଜ୍ୟ ସରକାର ବସ୍‌ଗୁଡିକରେ ନିର୍ଦ୍ଦିଷ୍ଟ ସିଟ୍‌ ଠାରୁ ଅଧିକ ଯାତ୍ରୀ ନେବା ଉପରେ କଟକଣା ଜାରି କରିଛନ୍ତି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୌଣସି ବସ୍‌ ନିର୍ଦ୍ଧାରିତ ସିଟ୍‌ ଠାରୁ ଅଧିକ ଯାତ୍ରୀ ନେଇ ପାରିବେ ନାହିଁ। କୌଣସି ବସ୍‌ ମାଲିକ କିମ୍ବା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଏହି କଟକଣାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା (କୋଭିଡ-୧୯)କୁ ପ୍ରତିହତ କରିବା କିମ୍ବା ଏହାକୁ ଅଧିକ ସମ୍ପ୍ରସାରଣ କରିବାକୁ ନ ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ସରକାରୀ, ଘରୋଇ ଏବଂ (କ୍ୟାପିଟାଲ୍‌ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ) କ୍ରୁଟ୍‌ ଦ୍ୱାରା ପରିଚାଳିତ ମୋ ବସ୍‌ ସେବା କ୍ଷେତ୍ରରେ ଏହି କଟକଣା ଲାଗୁ ହେବ। ଏ ନେଇ ଓଡିଶା ରାଜ୍ୟ ପରିବହନ ନିଗମ, କ୍ରୁଟ୍‌ କର୍ତ୍ତୃପକ୍ଷ ଏବଂ ଘରୋଇ ବସ୍‌ ମାଲିକ ସଂଘଗୁଡିକୁ ଅବଗତ କରାଯାଇଛି । କୌଣସି ବସ୍‌ରେ ଅଧିକ ଲୋକ ଯାଉ ନ ଥିବା ନେଇ ଉଭୟ ସରକାରୀ ଓ ବେସରକାରୀ ବସ୍‌ ମାଲିକମାନେ ଏ ନେଇ ନିୟମିତ ସୂଚନା ଦେବେ। ବସ୍‌ରେ କୌଣସି ଯାତ୍ରୀ ଛିଡା ହୋଇ ଯିବେ ନାହିଁ। ବସ୍‌ ଡ୍ରାଇଭର ଓ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବସ୍‌ରେ ଭିଡ଼କୁ କମାଇବାକୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବସ୍‌ରେ କରୋନା ପ୍ରତିକାର ନେଇ ଆଉ କ’ଣ କରାଯାଇ ପାରିବ ସେ ନେଇ ମଙ୍ଗଳବାର ପୁର୍ବାହ୍ନ ୧୧ଟାରେ ପରିବହନ ବିଭାଗ ଏବଂ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟରେ ଆଲୋଚନା ହେବ।
ରାଜ୍ୟରେ ଓଏସ୍‌ଆର୍‌ଟିସି ଅଧୀନରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବସ୍‌ ଚାଲୁଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ଚଳାଚଳ କରୁଛି। ବସ୍‌ରେ ସିଟ୍‌ ଠାରୁ ୧୪ରୁ ୧୬ ଜଣ ଅଧିକ ଯାତ୍ରୀ ପରିବହନ କରିବାକୁ ସରକାର ଅନୁମତି ଦେଇଛନ୍ତି। ସେହି ଅନୁଯାୟୀ ଟିକସ ମଧ୍ୟ ବସ୍‌ ମାଲିକ ଦେଉଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ବସ୍‌ ମାଲିକ ସଂଘ ସ୍ବାଗତ କରିଛି। ତେବେ ସରକାର ଯାତ୍ରୀ ପିଛା ନେଉଥିବା ଟିକସ ଛାଡ଼ କରିବାକୁ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।

Share