ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୦।୭(ଡି.ଏନ୍‌.ଏ.)- ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର ସାକ୍ଷୀଗୋପାଳ ବଜାରରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରରେ ଲାଗିଯାଇଥିଲା। ଫଳରେ ତାରରୁ ନିଆଁ ବାହାରିଥିଲା। ବସ୍‌ଟି କରେଣ୍ଟ ହୋଇଯିବା ଭୟରେ ସମସ୍ତ ଯାତ୍ରୀ ତୁରନ୍ତ ତଳକୁ ଓହ୍ଲାଇ ଆସିଥିଲେ। ତେବେ ଶର୍ଟ ସର୍କିଟ ଯୋଗୁ ବିଦ୍ୟୁତ୍‌ କାଟ ହୋଇଯିବାରୁ ଯାତ୍ରୀମାନେ ଅଳ୍ପକେ ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ବାତ୍ୟା ‘ଫନୀ’ ପରେ ବିଦ୍ୟୁତ୍‌ ସଂଯୋଗ କାମ ତରବରିଆ ଭାବେ କରାଯାଇଛି। ଅନେକ ସ୍ଥାନରେ ତାର ଓ ବିଦ୍ୟୁତ୍‌ ଖୁଣ୍ଟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ପ୍ରତିଦିନ ଉକ୍ତ ରାସ୍ତାରେ ଶହ ଶହ ଟୁରିଷ୍ଟ ବସ୍‌, ସ୍କୁଲ ବସ୍‌ ଏବଂ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି। ସତ୍ୟବାଦୀର ୭ଟି ପଞ୍ଚାୟତର ଲୋକମାନେ ବଜାର, ହାଟ, ସ୍କୁଲ, କଲେଜର ଛାତ୍ରୀଛାତ୍ର ଯାତାୟତ କରୁଛନ୍ତି। ଏପରିସ୍ଥଳେ ଏଭଳି ଭାବେ ବିଦ୍ୟୁତ୍‌ ବିଭାଗର ଖାମଖିଆଲି କାମ କରିବାକୁ ସାଧାରଣରେ ନିନ୍ଦା କରାଯାଇଛି। ତୁରନ୍ତ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ମରାମତି ଏବଂ ତାରକୁ ଦୂରେଇ ରଖିବାକୁ ଦାବି ହୋଇଛି।

Share