ବସ୍‌ଷ୍ଟାଣ୍ଡରେ ଆବର୍ଜନା ଗଦା ନେଇ ଗଣ୍ଡଗୋଳ: ଥାନାରେ ଦୁଇ ପକ୍ଷରୁ ଏତଲା

ଝୁମ୍ପୁରା, ୨୭।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବସ୍‌ଷ୍ଟାଣ୍ଡ ନିକଟରେ ଅଳିଆ ଆବର୍ଜନା ପକାଯିବା ଘଟଣାକୁ କେନ୍ଦ୍ରକରି ଗତ ୨୩ ତାରିଖ ସନ୍ଧ୍ୟା ସମୟରେ ଗଣ୍ଡଗୋଳ ଘଟି ଏନେଇ ଥାନା ଯାଏ ମାମଲା ଯାଇଛି। ଏନେଇ ଦୁଇ ପକ୍ଷ ଥାନାରେ କରିଥିବା ଅଭିଯୋଗକ୍ରମେ ପୋଲିସ ଉଭୟ ପକ୍ଷ ବିରୋଧରେ ୨ଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଝୁମ୍ପୁରା ଥାନାଧିକାରୀ ବିରଞ୍ଚି ବାଗ କହିଛନ୍ତି। ଏହି ଗଣ୍ଡଗୋଳ ଘଟଣା କ୍ରମେ ରାଜନୈତିକ ରୂପ ନେଇ ଦୁଇ ସାହି ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ପୋଲିସ ଓ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ପ୍ରତିକାର କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ଝୁମ୍ପୁରା ବଜାର ଅଞ୍ଚଳରେ ଅଳିଆ ଆବର୍ଜନା ସଫେଇ ହେଉ ନ ଥିବାରୁ ପରିବେଶ ପୂତି ଗନ୍ଧମୟ ହୋଇପଡ଼ିଛି। ସ୍ଥାନୀୟ ପଞ୍ଚାୟତ ଓ ଆରଏମସି କର୍ତ୍ତୃପକ୍ଷ ବଜାରସ୍ଥିତ ଦୋକାନରୁ ଘର ଭଡା, ମାର୍କେଟରୁ ମହାସୁଲ ଆଦାୟ କରୁଥିଲେ ମଧ୍ୟ ପରିମଳ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଝୁମ୍ପୁରା ବଜାର ସମେତ ବଜାରକୁ ସଂଯୋଗ କରୁଥିବା ରାସ୍ତା ଓ ବସଷ୍ଟାଣ୍ଡରେ ଆବର୍ଜନା ଗଦା ହୋଇ ଦିନ ଦିନ ପଡି ରହୁଛି। ସେହି ଅଞ୍ଚଳରେ ଜଳଖିଆ ତିଆରି ଠେଲା ଗାଡ଼ିରେ ବିକ୍ରି କରୁଥିବା ଦୋକାନୀମାନେ ଆଇଁଠା ଚଉପତି ବସ୍‌ ଷ୍ଟାଣ୍ଡ ପଛ ପାଖରେ ଥିବା ଏକ ପୁରୁଣା ପୋଖରୀ ନିକଟରେ ପକାଇବା ଘଟଣାକୁ ସ୍ଥାନୀୟ ଭାଜପା ନେତା ଅନିନ୍ଦ୍ୟ ବେହେରା ବିରୋଧ କରିବାରୁ ଜଣେ ଠେଲା ଗାଡ଼ି ଦୋକାନୀ ଏହାର ପ୍ରତିବାଦ ଜଣାଇଥିଲେ। ଏନେଇ ଗଣ୍ଡଗୋଳ ଘଟି ହାତାହାତି ଯାଏ କଥା ଯାଇଥିଲା। ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଜାରି ରଖିଛି। ପଞ୍ଚାୟତ ଓ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ଏଭଳି ସମସ୍ୟା ନେଇ ସ୍ଥାନୀୟ ଲୋକେ ଦାୟୀ କରୁଥିବାବେଳେ ଗତ ଶନିବାର ଘଟିଥିବା ଗଣ୍ଡଗୋଳ ବଢ଼ି ଝୁମ୍ପୁରା ପଞ୍ଚାୟତର ଦୁଇ ସାହିରେ ବିବାଦ ଦେଖା ଦେଇଛି। ଏସମ୍ପର୍କରେ ଝୁମ୍ପୁରା ସରପଞ୍ଚ ବୈଜୟନ୍ତୀ ନାଏକଙ୍କୁ ପଚାରିବାରୁ କହିଛନ୍ତି, ଦୁଇ ତିନି ଦିନ ମଧ୍ୟରେ ଝୁମ୍ପୁରା ବସଷ୍ଟାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା ଉପରୁ ସମସ୍ତ ଆବର୍ଜନା ଉଠାଯିବ। ବସଷ୍ଟାଣ୍ଡରେ ଥିବା ସମସ୍ତ ଜଳଖିଆ ଦୋକାନକୁ ନୋଟିସ କରାଯାଇ ପୋଖରୀରେ ଆବର୍ଜନା ନ ପକାଇବା ସକାଶେ ତାଗିଦ କରାଯିବ। ଏସମ୍ପର୍କରେ ଝୁମ୍ପୁରା ଥାନା ଆଇଆଇସି ବିରଞ୍ଚି ବାଗଙ୍କୁ ପଚାରିବାରୁ ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।