ଅନୁଗୋଳ ଅଫିସ, ୧୪।୫ – ଅନୁଗୋଳ ସହରର ବସ୍ଷ୍ଟାଣ୍ଡଠାରେ ଥିବା ଫଳ ଦୋକାନୀଙ୍କୁ ଅନୁଗୋଳ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ସେମାନେ ଏହାକୁ ମାନି ନ ଥିବା ଜଣାପଡିଛି। ଏହାକୁ ନେଇ ପ୍ରଶାସନ ସହ ଆଲୋଚନା ବିଫଳ ପରେ ବ୍ୟବସାୟୀଙ୍କୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ବସ୍ଷ୍ଟାଣ୍ଡ ନିକଟରେ ଥିବା ଫଳ ବ୍ୟବସାୟୀଙ୍କୁ ଷ୍ଟାଡିୟମରେ ବ୍ୟବସାୟ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ନମାନି ପୂର୍ବ ସ୍ଥାନରେ ବ୍ୟବସାୟ କରୁଥିବାରୁ ପୌରପାଳିକା ଓ ପୋଲିସ ପକ୍ଷରୁ ମଙ୍ଗଳବାର ଦୋକାନ ବନ୍ଦ କରିବା ପାଇଁ କୁହାଯାଇଥିଲା। ବ୍ୟବସାୟୀମାନେ ଆଲୋଚନା ପାଇଁ ଆସିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। କେବଳ ଷ୍ଟାଡିୟମରେ ଦୋକାନ ଖୋଲାଯାଇପାରିବ, ନଚେତ ସାମାଜିକ ଦୂରତା ରଖି ଦୋକାନ ଖୋଲିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ବ୍ୟବସାୟୀମାନେ ରାଜି ନ ହେବାରୁ ଫଳ ଦୋକାନ ନ ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।