ବସ୍‌ ଅଟକାଇ ଡକାୟତି: ବୋଲେରୋ ଜବତ, ୬ ଅଭିଯୁକ୍ତ ଗିରଫ

ଯୋଡ଼ା,୨୦।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତିରେ ୬ ଜଣ ଦୁର୍ବୃତ୍ତ ବସ୍‌ ଅଟକାଇ ଲୁଟ୍‌ ବେଳେ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ବଡ଼ବିଲ-ଭୁବନେଶ୍ୱର ‘ସଂସ୍କାର’ ନାମକ ଏକ ଯାତ୍ରୀବାହୀ ବସ୍‌ ଓଡି ୦୫ ଏୟୁ ୫୭୩୦ ବଡ଼ବିଲରୁ ଯୋଡ଼ା ଅଭିମୁଖେ ଆସୁଥିବା ବେଳେ ରଣାଶାଳ ଘାଟିଠାରେ ଟ୍ରାଫିକ ଜାମ୍‌ରେ ଫସିଥିଲା ା ଏହି ବସ୍‌ ଆଗକୁ ଅନ୍ୟ ଏକ ବଡ଼ବିଲ- ବାଲେଶ୍ୱର ଯାତ୍ରୀବାହୀ ବସ୍‌ ଓଡି ୦୫ ଏମ୍‌ ୮୩୩୦ଟି ମଧ୍ୟ ଛିଡା ହୋଇଥିଲା ା ଏହି ସମୟରେ ୬ ଜଣ ଦୁର୍ବୃତ୍ତ ଏକ ବୋଲେରୋ ନଂ. ଓଆର ୦୯ ଏନ୍‌ ୮୧୬୦ରେ ଆସି ବଡ଼ବିଲ୍‌ – ବାଲେଶ୍ୱର ଯାତ୍ରୀବାହୀ ବସ୍‌ର ଡିକି ଖୋଲି ଲୁଟ୍‌ ଉଦ୍ୟମ କରୁଥିବା ବେଳେ ପଛରେ ଛିଡ଼ା ହୋଇଥିବା ବଡବିଲ୍‌-ଭୁବନେଶ୍ୱର ବସ୍‌ର ଡ୍ରାଇଭର ବାସୁଦେବ ନାୟକ ସେମାନଙ୍କୁ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ବସ୍‌ ଡିକିରୁ କେତୋଟି ବ୍ୟାଗ୍‌ ଲୁଟିବା ସହିତ ହେଲପରଙ୍କୁ ଟଙ୍କା ମାଗିଥିଲେ ା ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରିଥିବାରୁ କୌଣସି ବ୍ୟକ୍ତି ସେମାନଙ୍କୁ ବିରୋଧ କରିପାରି ନ ଥିଲେ ା ଦୁର୍ବୃତ୍ତମାନେ ଉକ୍ତ ବୋଲେରୋରେ ଯୋଡ଼ା ଅଭିମୁଖେ ଆସିଥିଲେ। ଡ୍ରାଇଭର ବାସୁଦେବ ନାୟକ ଫୋନ୍‌ ଯୋଗେ ଯୋଡ଼ା ପୋଲିସ୍‌କୁ ଜଣାଇବା ଆଇଆଇସି ରାଇସେନ୍‌ ମୁର୍ମୁ ସଦଳବଳ ଯୋଡ଼ାର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍‌ କରି ୬ ଦୁର୍ବୃତ୍ତଙ୍କୁ କାବୁ କରି ନେଇଥିଲେ। ପୋଲିସ ସେମାନଙ୍କଠାରୁ ଏକ ବୋଲେରୋ, ଠେଙ୍ଗା, ଲୁହାରଡ୍‌ ଓ ଗୋଟିଏ ଛୁରି ଜବତ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ଯୋଡ଼ା ବାଚୁ ହଟିଂ ଅଞ୍ଚଳର ସନ୍ତୋଷ ମହାନ୍ତ, ସୁନିଲ ଚାତାର, ନିରାକାର ଗୋପ୍‌, ଯୋଡ଼ା କୁନ୍ଦୁରୁନାଲା ଅଞ୍ଚଳର ପିହ ପାତ୍ର, ବାଂଶପାଣି ଅଞ୍ଚଳର ଘାସିନାଥ ପାତ୍ର ଓ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳର ଦିଲୀପ କୁମାର ପାନ। ଏନେଇ ବୁଧବାର ରାତିରେ ଡ୍ରାଇଭର ବାସୁଦେବ ନାୟକ, ବଡ଼ବିଲ୍‌ – ବାଲେଶ୍ୱର ବସ୍‌ର କଣ୍ଡକ୍ଟର ନିମାଇ ଚରଣ ରାଉତ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନଂ ୩୮/୨୦୨୦ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଯୋଡ଼ା ଥାନାରେ ବିଭିନ୍ନ ସଙ୍ଗୀନ ଅପରାଧିକ ମାମଲା ରହିଥିବା ଆଇଆଇସି ସୂଚନା ଦେଇଛନ୍ତି ା