ବସ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା, ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର ୨୩ା୭ (ସ୍ବ.ପ୍ର./ଡି.ଏନ.ଏ.)- ଘରୋଇ ବସକୁ ଅଟକାଇ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ସ୍ଥାନୀୟ ସିଜେଏମ କୋର୍ଟ ୪ ଦୋଷୀଙ୍କୁ ୫ ବର୍ଷ ଜେଲ ଓ ୯୩୦୦ ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି। ଘଟଣାଟି ୨୦୧୬ ଫେବୃୟାରୀ ୨୮ ତାରିଖରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବଡଗମ୍ଭାରିଆ ଗ୍ରାମ ନିକଟରେ ଘଟିଥିଲା । ସେମାନେ ହେଲେ ଦୀପକ ମହାପାତ୍ର, ମନ୍ମଥ ମହାପାତ୍ର, ବାବୁ ମହାପାତ୍ର ଓ କ୍ଷିରୋଦ ମହାନ୍ତବୋଲି ଜଣାପଡିଛି। ପ୍ରକାଶ ଯେ ସୁରେଶ ଆଣ୍ଡ ସୁରେଶ ବସ ନାମକ ଏକ ବସ କେନ୍ଦୁଝର ଦେଇ ରାଉରକେଲାରୁ ଉଦଳା ଯାଉଥିଲା । ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏହି ଯୁବକ ମାନେ ବସ କଣ୍ଡକର ବିଦ୍ୟାଧର ବେହେରା ଓ ଡ୍ରାଇଭର ତାପସ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସେମାନେ ଲହୁଲୁହାଣ ହୋଇଯାଇଥିଲେ। ଚାଳକ ଭାରସାମ୍ୟ ହରାଇବା ଫଳରେ ରାସ୍ତାକଡକୁ ଗାଡି ଗଡିଯାଇ ଏକ ଡ୍ରେନରେ ଅଟକି ଯାଇଥିଲାଫଳରେ ୫୦ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଚାଳକ ସଂଜ୍ଞାହୀନ ହୋଇ ପଡିବାରୁ ଆକ୍ରମଣକାରୀ ସ୍ଥାନ ଛାଡି ପଳାଇଥିଲେ। ସେମାନଙ୍କୁ ଯାତ୍ରୀ ମାନେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପଠାଇଥିଲେ। ଏହି ଘଟଣାକୁ ନେଇ ତୁରୁମୁମଙ୍ଗା ଥାନାରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଏତଲା କ୍ରମେ ଏକ ମାମଲା (ନଂ.୩୨/୨୦୧୬) ରୁଜୁ ହୋଇଥିଲା । ପୋଲିସ ଏତଲାକୁ ଭିତ୍ତି କରି ୪ ଜଣଙ୍କୁ ଗିରଫ କରିଥିଲା । ସମୁଦାୟ ୨୧ ଜଣ ସାକ୍ଷୀଙ୍କ ବୟାନକ୍ରମେ ମଙ୍ଗଳବାର ସିଜେଏମ ତିରଞ୍ଜନ ପାତ୍ର ଏହି ରାୟ ଦେଇଥିବା ସରକାରୀ ଆଇନଜୀବୀ ଅଶୋକ ଦାସ କହିଛନ୍ତି।