ବସ୍‌ ଚକାତଳେ ଚାପି ହୋଇ ସ୍କୁଟି ଆରୋହୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଖଲ୍ଲିକୋଟ,୨ା୧୧(ଡି.ଏନ.ଏ.)-ଖଲ୍ଲିକୋଟ ସହର କରଣ ସାହି ରାସ୍ତାରେ ଶୁକ୍ରବାର ଅପରାହ୍ନରେ ବସ୍‌ ଚକାତଳେ ଚାପିହୋଇ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୋଦଳା ମାଗୁରା ସାହିର ସୂର୍ଯ୍ୟମଣି ମୁନି। ଏ ନେଇ ୩୧୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଆସିକାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ବସ (ନଂ. ଓଡି୦୨ଏଏସ୬୮୯୯) ବିପରୀତ ଦିଗରୁ ଆସୁଥିବା ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ମୁନି ତଳେ ପଡ଼ି ଯାଇଥିଲେ। ହେଲ୍‌ମେଟ ପିନ୍ଧିଥିଲେ ସୁଦ୍ଧା ବସଚକା ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଏସ୍‌ଆଇ ସିଲୁ ଧଳ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛନ୍ତି। ବସ୍‌କୁ ଜବତ କରାଯାଇ ଥାନାରେ ରଖାଯାଇଛି। ପରେ ମୃତ ସୂର୍ଯ୍ୟମଣିଙ୍କ ସମ୍ପର୍କୀୟ ଓ ଅଞ୍ଚଳର କେତେକ ବ୍ୟକ୍ତି କ୍ଷତିପୂରଣ ଦାବିରେ ଖଲ୍ଲିକୋଟ ମେଡିକାଲ ଆଗରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଖଲ୍ଲିକୋଟ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଓ ଆଇଆଇସି ପହଞ୍ଚତ୍ ଆର୍‌ଟିଓଙ୍କ ସ୍ବତନ୍ତ୍ର ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। କୋଦଳା ତହସିଲଦାର ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।

Share