ବସ୍‌-ଟ୍ରକ୍‌ ଧକ୍କା: ୩୦ ଆହତ, ୬ ଗୁରୁତର

ରଣପୁର/ଟାଙ୍ଗୀ,୧।୨(ସ୍ବ.ପ୍ର./ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଚାଳକଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ୨ଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଦୀର୍ଘ ୨ଘଣ୍ଟା ଧରି ରାସ୍ତାରୋକୋ କରାଯାଇଥିଲା।
ପ୍ରକାଶ ଯେ, ଓଡି୦୨ଏ ୯୨୩୭ ନମ୍ବର ବିଶିଷ୍ଟ ଓମ୍‌ ମା ନାମକ ଏକ ଘରୋଇ ବସ୍‌ ଭୁବନେଶ୍ୱରରୁ ବାହାରି ବାଲୁଗଁ। ଅଭିମୁଖେ ଯାଉଥିଲା ବେଳେ ଅପରାହ୍ନ ୩ଟାରେ ଚାନ୍ଦପୁର ନିକଟସ୍ଥ ବେଣ୍ଟଛକଠାରେ ବିପରୀତ ଦିଗରୁ ଆସୁଥିବା ଓଡି୦୭ ଏଲ୍‌ ୨୦୦୩ ନମ୍ବର ବିଶିଷ୍ଟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଉକ୍ତ ବସ୍‌ରେ ପ୍ରାୟ ୪୦ରୁ ୪୫ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଥିବାବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ଅଛି। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଟାଙ୍ଗୀ ଦମକଳ ବାହିନୀ ସହାୟତାରେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଚାନ୍ଦପୁର ଏବଂ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବସ୍‌ ଡ୍ରାଇଭର ଅଖିଳ ବେହେରା (୫୫), ଯାତ୍ରୀ ଅନୀତା ସାହୁ (୧୪), ରଙ୍ଗଲତା ତାଡ (୬୨), ଅନୀତା ସାହୁ (୩୫), ଭୁବନେଶ୍ୱର ମହନ୍ତ (୪୫) ଏବଂ ବନମାଳୀ ପ୍ରଧାନ (୨୭)ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଆହତ ବସଯାତ୍ରୀଙ୍କ ଘର ନିକଟସ୍ଥ ଟାଙ୍ଗୀ, ଚାନ୍ଦପୁର, ନାଚୁଣୀ, ବାଲୁଗଁା ଅଞ୍ଚଳରେ ବୋଲି ଜଣାପଡ଼ିଛି। ବେଣ୍ଟଛକଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତାହାର ପ୍ରତିକାର ଦାବି ସହ ସେଠାରେ ଏକ ଓଭରବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକମାନେ ଅପରାହ୍ନ ୪ଟାରୁ ସେଠାରେ ରାସ୍ତାରୋକୋ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ଥାନା ଏସଆଇ ଏସ.ଏସ. ହରୋ ସେଠାରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଦୀର୍ଘ ୨ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୬ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଖବରପାଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସେଠାରେ ପହଞ୍ଚି ଘଟଣାର ତଦାରଖ କରିଥିଲେ।

Share