ବସ୍‌-ଟ୍ରାକ୍ଟର ଦୁର୍ଘଟଣାରେ ୨ ଶ୍ରମିକ ମୃତ୍ୟୁ ଘଟଣା: କାଗଜପତ୍ର ନ ଥିବାରୁ ଜରିମାନା ଆଦାୟ

ସମ୍ବଲପୁର,୨୭।୧(ବ୍ୟୁରୋ): ସମ୍ବଲପୁର ଜାତୀୟ ରାଜପଥ ୫୫ରେ ଯୁଯୁମୁରା ଥାନା ମୁଦେର ଗ୍ରାମ ନିକଟରେ ରବିବାର ପୂର୍ବାହ୍ନରେ ଏକ ଟ୍ରାକ୍ଟର ପଛରେ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ଏଥିରେ ଏକ କମ୍ପାନୀରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଥିଲେ। ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ପୋଲିସ ଏବଂ ପରିବହନ ବିଭାଗ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍‌ର କାଗଜପତ୍ର ଯାଞ୍ଚ କରିବାରୁ ଏଥିରେ ଅନେକ ଅନିୟମିତତା ଥିବା ଜଣାପଡ଼ିଥିଲା। ବସ୍‌ର ଫିଟ୍‌ନେସ୍‌, ପ୍ରଦୂଷଣ ଏବଂ ଇନ୍‌ସ୍ୟୁରାନ୍ସ ନ ଥିବାରୁ ଏହା ଉପରେ ୨୭ ହଜାର ଏବଂ ଟ୍ରାକ୍ଟର ଉପରେ ୫୩ ହଜାର ୨ ଶହ ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ।
ସୂଚନାଯୋଗ୍ୟ, ରିଆମାଳରୁ ସମ୍ବଲପୁର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ସହ ଟ୍ରାକ୍ଟରର ଧକ୍କା ହୋଇଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକ ବିହାରର ଗୌରୀଶଙ୍କର କୁଦାର, ରାମସେବ ସିଂଙ୍କ ମୃତ୍ୟୁ ଘଟିଥିଲା। ଅଜୟ କୁମାର ସିଂ, ଜ୍ୟୋତି କୁଦାର, ରାମପରିତ ସିଂ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏହି ଘଟଣାର ତଦନ୍ତ ଚାଲିଥିଲା।

Share