Categories: ଖେଳ

ବସ୍‌ ଦୁର୍ଘଟଣା: ଓଡ଼ିଶା ଜୁଡୋ ଖେଳାଳି ଆହତ

ଭୁବନେଶ୍ୱର, ୨୧ା୧୦ (ସ୍ପୋଟର୍‌ସ ବ୍ୟୁରୋ)-ଶନିବାର ରାତିରେ ଏକ ବସ୍‌ ଦୁର୍ଘଟଣାରେ ଓଡ଼ିଶା ଜୁଡୋ ଖେଳାଳିମାନେ ଆହତ ହୋଇଛନ୍ତି। ଖବର ଅନୁସାରେ ଅକ୍ଟୋବର ୧୪ରୁ ୧୯ ପର୍ଯ୍ୟନ୍ତ ଆୟୋଜିତ ଜାତୀୟ ସବ୍‌ଜୁନିୟର ଏବଂ କ୍ୟାଡେଟ୍‌ ଜୁଡୋ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ଲାଗି ଏକ ୨୯ ଦଳିଆ ଓଡ଼ିଶା ଜୁଡୋ ଦଳ ଇମ୍ଫାଲ ଗସ୍ତ କରିଥିଲା। ପ୍ରତିଯୋଗିତାରେ ଭାଗ ନେଇ ଘରକୁ ଫେରିବା ଲାଗି ସେମାନେ ଟ୍ରେନ୍‌ ଧରିବା ପାଇଁ ଇମ୍ଫାଲରୁ ଦିମାପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜୁଡୋ ଦଳରେ ୧୪ ବାଳିକା, ଜଣେ ବାଳିକା କୋଚ୍‌, ୧୩ ବାଳକ ଏବଂ ଜଣେ ବାଳକ କୋଚ୍‌ ଓ ଜଣେ ମ୍ୟାନେଜର ଥିଲେ। ୪ଜଣ ବାଳିକା ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣଙ୍କର କଲାର ବୋନ୍‌ ଭାଙ୍ଗିଯାଇଛି। କୋଚ୍‌ ବଳରାମ ବେହେରା ମଧ୍ୟ ଆହତ ହୋଇଛନ୍ତି। ଖେଳାଳିମାନେ ଯେଉଁ ବସ୍‌ରେ ଫେରୁଥିଲେ। ବାଟରେ ରାତି ପ୍ରାୟ ୧୨ଟା ବେଳେ ବସ୍‌ଟି ଓଲଟି ପଡ଼ିଥିଲା ଏବଂ ଭାଙ୍ଗିରୁଜି ଯାଇଥିଲା। ସ୍ଥାନୀୟ ଲୋକେ ଏବଂ ଆସାମ ରାଇଫଲର ଖେଳାଳିମାନଙ୍କ ସହାୟତାରେ ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଜୁଡୋ ଦଳ ବିବେକ ଏକ୍ସପ୍ରେସ୍‌ ଟ୍ରେନ୍‌ ଜରିଆରେ ଦିମାପୁର ଛାଡ଼ିଥିଲେ ବୋଲି ରାଜ୍ୟ ଜୁଡୋ କୋଚ୍‌ ଗୀତାଞ୍ଜଳି ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶା ଜୁଡୋ ଦଳ ଭୁବନେଶ୍ୱରରେ ସୋମବାର ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ବ ବୋଲି ଆଶା କରାଯାଉଛି।

Share