ବସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ଦିଗପହଣ୍ଡି/ପାଟପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ପ୍ରବଳ କୁହୁଡ଼ି ଯୋଗୁ ମାରୁତି ଶ୍ରୀ ସାଇ ନାମକ ଏକ ଯାତ୍ରୀବାହୀ ବସ୍‌ ନଂ. ଓ ଆର୍‌ ୦୫-ଏ ବି ୩୫୩୦ ବୁଧବାର ଭୋର୍‌ ସମୟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଏବେ ୮ରେ ପହଞ୍ଚିଥିବା ବେଳେ ୩୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ, ମୋହନା ଥାନା ଆଇଆଇସି ସୁଜିତ୍‌ କୁମାର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ୫ ଆମ୍ବୁଲାନ୍ସ ସମେତ ମୋହନା, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ୩୮ରୁ ଊଦ୍ଧର୍‌ବ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦିଗପହଣ୍ଡି ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ନେତୃତ୍ୱରେ ଉତ୍ତେଜିତ ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ଡା. ସୁପ୍ରଭା ସାହୁଙ୍କ ବଦଳି ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ଅନ୍ୟପକ୍ଷରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା, ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା ପ୍ରମୁଖ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି।

Share