ବସ୍‌ ବାଇକ୍‌ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ

ଦେବଗଡ଼,୯।୭(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର
ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ଦେବଗଡ଼ କଲେଜର ଛାତ୍ରୀ ସୀମାରେଖା ବିଶ୍ୱାଳ, ଉଭୟଙ୍କ ଘର ବାଘିଆବନ୍ଧ ଗାଁରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ଦୁଇ ଛାତ୍ରୀ। ସକାଳେ ସନ୍ତୋଷ ଓ ସୀମାରେଖା ବାଇକ୍‌ରେ ଦେବଗଡ଼ ଯାଉଥିଲେ। ଏହି ସମୟରେ ଦେବଗଡ଼ରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ବସ୍‌ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା। ସୀମାରେଖାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।