ବସ୍‌ ବାଇକ ମୁହାଁମୁହିଁ ଧକ୍କା, ଚାଳକ ଗୁରୁତର: ରାସ୍ତା ମରାମତି ଦାବିରେ ପ୍ରତିବାଦ ସଭା

ଧର୍ମଶାଳା/ଜେନାପୁର,୧୦ା୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ବସ୍‌ ବାଇକ୍‌ ମୁହଁାମୁହଁି ଧକ୍କା ହୋଇଛି। ଏଥିରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ଚାଳକ ଜଣଙ୍କ ଏହି ଥାନା ଅନ୍ତର୍ଗତ ବଉଳମାଳ ପଞ୍ଚାୟତ ଗ୍ରାମର କାର୍ତ୍ତିକ ସାହୁ (୨୯)। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ସଚେତନ ନାଗରିକ ମଞ୍ଚ ଆବାହକ ସରୋଜକାନ୍ତ ବେହେରାଙ୍କ ନେତତ୍ୱରେ ଏକ ପ୍ର୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମଞ୍ଚ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ୫୩ ରାଜପଥ ମରାମତି ନ ହେବାରୁ ଶୋଚନୀୟ ହୋଇପଡିଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏ ନେଇ ଡିସେମ୍ବର ୩ ତାରିଖରେ ରାଜପଥ ଅବରୋଧ କରାଯିବା ନେଇ ଘଡ଼ାଇ କହିଥିଲେ। ଏହି ଅବସରରେ ବାଲିସାହି ଛକଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପ୍ରକାଶ ଯେ, କଟକରୁ ଏକ ବସ୍‌ ଚଣ୍ଡିଖୋଲ ଦେଇ କାମାକ୍ଷା ନଗର ଯାଉଥିଲା। ଏହି ସମୟରେ କବାଟବନ୍ଧ ଅଞ୍ଚଳରୁ ବାଇକ୍‌ରେ କାର୍ତ୍ତକ ଆସୁଥିବାବେଳେ କୁସୁନପୁର ଛକଠାରେ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକୋ ଓ ଜେନାପୁର ପୋଲିସ ଉଦ୍ଧାରକରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସୌମ୍ୟ ରଞ୍ଜନ ପଣ୍ଡା, ସୁବ୍ରତ୍‌ ସାହୁ, ପରମାନନ୍ଦ ସାହୁ, ପଙ୍କଜ ମହ୍ଲ, ସନ୍ତୋଷ ମହାନ୍ତି, ସଂଗ୍ରାମ ସାହୁ, ସଂଞ୍ଜୟ ସାହୁ, ସୁଭ୍ରପାତ୍ରଙ୍କ ସହ ମଞ୍ଚର ଅନ୍ୟ ସଦସ୍ୟମାନେ ଉପସ୍ଥିତି ଥିଲେ ।