ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୮ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ଥିବା ସୂଚନା ମିଳିଛି। ବସ୍‌ରେ ଡ୍ରାଇଭର ସମେତ ଅନେକ ଯାତ୍ରୀ ଚାପି ହୋଇଥିବାବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଧାମନଗର ଉର୍ତ୍ସ ପର୍ବରୁ ବସ୍‌ରେ ଯାତ୍ରୀମାନେ ଆସୁଥିବା ସମୟରେ ଟ୍ରକ ସହ ସାମ୍ନା ପଟୁ ଧକ୍କା ହୋଇଥିଲା। ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଧାମନଗରରୁ ଷ୍ଟେଶନ ଅଭିମୁଖେ ଯାଉଥିବାବେଳେ ଜାତୀୟ ରାଜପଥ ସମ୍ପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟରେ ଟ୍ରକଟି ବିପରୀତ ଦିଗରୁ ଆସୁଥିଲା। ଫଳରେ ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ସୌଭାଗ୍ୟବଶତଃ ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଜାତୀୟ ରାଜପଥରେ ଥିବା ସୁରକ୍ଷା ପାଚେରୀରେ ଅଟକି ରହିଥିଲା। ଫଳରେ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଗ୍ନିଶମ, ଆମ୍ବୁଲାନ୍ସ ଗାଡି ଦ୍ୱାରା ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ବସ୍‌ ଭିତରୁ ଭିତରୁ ଯାତ୍ରୀମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରାୟ ୨ ଘଣ୍ଟା ଲାଗିଥିଲା। ବସରେ ଥିବା ସମସ୍ତ ଯାତ୍ରୀ ଶ୍ରଦ୍ଧାଳୁ ଥିଲେ। ଉର୍ତ୍ସ ପର୍ବ ପାଇଁ ବିଭିନ୍ନ ଅଞ୍ଚଳରୁ ଧାମନଗରକୁ ଆସିଥିବା ଜଣାପଡିଛି। ଦୀର୍ଘ ସମୟ ଧରି ୧୬ ନଂ ଜାତୀୟ ରାଜପଥ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ୨ଜଣଙ୍କୁ ବାଲେଶ୍ୱର ଚିକିତ୍ସା ପାଇଁ ପଠାଯାଇଛି। ଜିଲା ଚିକିତ୍ସାଳୟରେ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପିତାମ୍ବର ସାମଲ. ଏମ୍‌ପି ମଞ୍ଜୁଲତା ମଣ୍ଡଳ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

Share