ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏକ ବୈଷୟିକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଳି ନମୁନା ସଂଗ୍ରହ କରିଛନ୍ତି। ପ୍ରତିନିଧି ଦଳ ବୈଜଲ ସାଗରଠାରୁ ବେଲପଡା ମଧ୍ୟରେ ୧୩/୦ରୁ ୨୨/୦ କିଲୋମିଟର ମଧ୍ୟରେ ପ୍ରତି କିଲୋମିଟରରେ ଡ୍ରିଲର ମାଧ୍ୟମରେ ରାସ୍ତା ଖୋଲି ନମୁନା ସଂଗ୍ରହ କରିଛନ୍ତି। ପରୀକ୍ଷା ପାଇଁ ଲାବରେଟୋରିକୁ ପଠାଯିବ। ପରୀକ୍ଷଣ ହୋଇ ରିପୋର୍ଟ ଆସିଲା ପରେ ରାସ୍ତାର ମାନ କିପରି ହୋଇଛି ତାହା ଜଣାପଡିବ ବୋଲି ପ୍ରତିନିଧି ଦଳ କହିଥିଲେ। ପ୍ରତିନିଧି ଦଳରେ ଭୁବନେଶ୍ୱରସ୍ଥିତ ବିଶ୍ୱବ୍ୟାଙ୍କର ମୁଖ୍ୟଯନ୍ତ୍ରୀ ଅନିଲ କୁମାର ତ୍ରିପାଠୀ, ବଲାଙ୍ଗୀର ପୂର୍ତ୍ତ ବିଭାଗ ଏସ.ଇ. ଇଂ. ଉମେଶ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ରଥାଙ୍ଗ ଚରଣ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ପି.କେ.ଚୌଧୁରୀ, ସମ୍ବଲପୁର କ୍ୱାଲିଟି କଣ୍ଟ୍ରୋଲ ନିର୍ବାହୀ ଯନ୍ତ୍ରୀ ଇଂ. ହୀରାଲାଲ ଅଗ୍ରଓ୍ବାଲ, କଣ୍ଟାବାଞ୍ଜି ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୁରେଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ପରେ ସପ୍ତାହ ତଳେ ଗମ୍ଭାରୀ ଗାଁଠାରେ ପାଟଣାଗଡ ବିଧାୟକ ସରୋଜ ମେହେର ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କାନଧରି ଉଠ୍‌ବସ୍‌ ହେବା ପାଇଁ କହୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଧାୟକ ଘଟଣାକୁ ନେଇ ଦୁଃଖପ୍ରକାଶ କରିଥିଲେ। ଏହି ଘଟଣା ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ରାସ୍ତାର ମାନ ନିର୍ଦ୍ଧାରଣ ପାଇଁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତଦନ୍ତ ହେବ। ନିର୍ମାଣ ନିମ୍ନମାନର ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଘଟଣାର ଏକ ସପ୍ତାହ ପରେ ବିଭାଗୀୟ ତଦନ୍ତ ହେବା ସହ ରାସ୍ତାରମାନ ସଂଗ୍ରହ କରାଯାଇଛି । ସୂଚନାଯୋଗ୍ୟ ଯେ, ରାସ୍ତା ନିର୍ମାଣ ପାଇଁ ବର୍ଷକ ତଳୁ କାମ ଆରମ୍ଭ ହୋଇଥିବା ବେଳେ ୮କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିଲା।

Share