ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲା:ଆଜୀବନ କଏଦୀ ପଦିଆଙ୍କ ମୃତ୍ୟୁ

ଭୁବନେଶ୍ୱର,୨୫ା୨(ବ୍ୟୁରେ): ବହୁଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲ୍‌ରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଅଭିଯୁକ୍ତ କଟକ ନୂଆବଜାରର ପ୍ରଦୀପ କୁମାର ସାହୁ (୫୫)ଙ୍କ ସୋମବାର ଅପରାହ୍ନରେ ମୃତ୍ୟୁ ଘଟିଛି। ପ୍ରଦୀପ ଗୁରୁତର ଅସୁସ୍ଥ ହୋଇପଡିବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଗତ ୧୯ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଥିଲା। ତେବେ ତାଙ୍କର ମୃତ୍ୟୁ ଘଟିବା ପରେ ଜେଲ୍‌ କର୍ତ୍ତୃପକ୍ଷ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି। ମଙ୍ଗଳବାର ପରିବାର ଲୋକେ ଆସିଲେ ବ୍ୟବଚ୍ଛେଦ କରାଯାଇ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ପ୍ରଦୀପ ବହୁଦିନ ହେବ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ତାଙ୍କୁ ମଝିରେ ମଝିରେ ଜେଲ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ସ୍ବାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେଲେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ଗତ ୧୯ ତାରିଖରେ ପ୍ରଦୀପ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ୧୯୯୯ ଜାନୁୟାରୀ ୯ ରାତିରେ ଜଣେ ମହିଳାଙ୍କ ସହ ଜଣେ ଖବରଦାତା ଏକ କାରରେ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରୁ କଟକ ଅଭିମୁଖେ ଯାଉଥିଲେ। ଏହି ସମୟରେ ୩ଜଣ ଅଭିଯୁକ୍ତ ତାଙ୍କ କାରକୁ ଅଟକାଇ ଖବରଦାତାଙ୍କୁ ମାଡ଼ ମାରିବା ସହ ମହିଳାଙ୍କୁ ଟେକିନେଇ ଏକ ଧାନବିଲରେ ଗଣବଳାକତ୍ାର କରିଥିଲେ। ଜାନୁୟାରୀ ୨୬ରେ ପୋଲିସ ୨ଜଣଙ୍କୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିଲା। ମେ ୫ରେ ସିବିଆଇ ପକ୍ଷରୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ୨୦୦୨ ଏପ୍ରିଲ ୨୯ରେ ଖୋର୍ଦ୍ଧା ଜିଲା ଦୌରାଜଜ ମାମଲାର ଶୁଣାଣି କରି ୨ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ଧୀରେନ୍ଦ୍ର ଝାରପଡ଼ା ଜେଲ୍‌ରେ ସଜା କାଟୁଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ବିବନ ବିଶ୍ୱାଳ ଏବେ ବି ଫେରାର ଅଛନ୍ତି।

Share