Categories: ଜାତୀୟ

ବହୁତ ହୋଇଗଲା, ପ୍ରକୃତରେ କ’ଣ ଘଟିଛି ଆମେ ଜାଣିବାକୁ ଚାହୁଁଛୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୭।୬: ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ୨୦ ଯବାନ ଶହୀଦ ହୋଇଛନ୍ତି। ଚୀନର ମଧ୍ୟ ୪୩ ଯବାନ ନିହତ ହୋଇଛନ୍ତି। ଫଳରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ୨୦ ଯବାନ ଶହୀଦ ହେବା ପରେ ସାରା ଦେଶରେ ଏହାକୁ ନେଇ ଶୋକ ପ୍ରକାଶ କରାଯାଇଛି। ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି- ପ୍ରଧାନମନ୍ତ୍ରୀ କାହିଁକି ଏପର୍ଯ୍ୟନ୍ତ ଚୁପ ଅଛନ୍ତି? ସେ ଲୁଚିଛନ୍ତି କାହିଁକି? ବହୁତ ହୋଇଗଲା। ପ୍ରକୃତରେ କ’ଣ ଘଟିଛି ଆମେ ଜାଣିବାକୁ ଚାହୁଁଛୁ।
ଚାଇନା ଆମ ଯବାନମାନଙ୍କୁ ହତ୍ୟା କରିବାକୁ କେମିତି ସାହାସ କଲା? ସେମାନେ ଆମ ଜାଗା ନେବାକୁ କେମିତି ସାହାସ କଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ତୃଣମୂଳ କଂଗ୍ରେସ ନେତା ମୋହୁଆ ମୈତ୍ର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି, ଗତ ଏକ ସପ୍ତାହ ହେବ ଚାଇନା, ନେପାଳ ଏବଂ ଭାରତ ସୀମାରେ ଅନେକ କିଛି ଘଟିଛି। ଭାରତୀୟ ସୈନ୍ୟ ମାନେ ଶହୀଦ ହେଉଛନ୍ତି। କିନ୍ତୁ ବିରୋଧ କଲେ ଆମ ଉପରେ ଦେଶଦ୍ରୋହ ମାମଲା ରୁଜୁ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନା ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ସେନା ଏହାର ପାଲଟା ଜବାବରେ ଚାଇନାର ୪୩ ଜଣ ସେନା ପ୍ରାଣ ହରାଇଛନ୍ତି।

Share