Categories: ଖେଳ

ବହୁଦିନର ସ୍ବପ୍ନ ପୂରଣ ହୋଇଛି: କାର୍ତ୍ତିକ

କୋଲକାତା, ୧୬।୪(ପି.ଟି.)- ଯୁବ ଉଇକେଟ୍‌ କିପର ରିଷଭ ପନ୍ତଙ୍କୁ ପଛରେ ପକାଇ ଭେଟେରାନ ଦୀନେଶ କାର୍ତ୍ତିକ ଆସନ୍ତା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ନିଜର ଉଇକେଟ୍‌-କିପିଂ ଦକ୍ଷତା ବଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ସ୍ଥାନ ପାଇଥିବା କାର୍ତ୍ତିକ ବହୁଦିନର ସ୍ବପ୍ନ ଶେଷରେ ପୂରଣ ହୋଇଥିବା କହିଛନ୍ତି। ‘ମୁଁ ବହୁତ ଉତ୍ସାହିତ ରହିଛି। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବା ନେଇ ରହିଥିବା ବହୁଦିନର ସ୍ବପ୍ନ ପୂରଣ ହୋଇଛି। ମୁଁ ଏହି ଟିମ୍‌ର ସଦସ୍ୟ ହେବାକୁ ଚାହୁଁଥିଲି’ ବୋଲି କାର୍ତ୍ତିକ ନିଜର ଆଇପିଏଲ୍‌ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସର ଅଫିସିଆଲ୍‌ ଓ୍ବେବସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ସ୍ମରଣଯୋଗ୍ୟ, ୨୦୦୪ରେ ଏକଦିବସୀୟ ପଦାର୍ପଣ କରିଥିବା ୩୩ ବର୍ଷୀୟ କାର୍ତ୍ତିକ ବହୁଦିନ ଧରି ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଥିଲେ ମଧ୍ୟ ବିଶ୍ୱକପ୍‌ରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବା ସୁଯୋଗ ପାଇନାହାନ୍ତି। ଏଥିପୂର୍ବରୁ କାର୍ତ୍ତିକ ୨୦୦୭ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ଯୋଗୁ ଗୋଟିଏ ବି ମ୍ୟାଚ୍‌ ଖେଳିପାରି ନ ଥିଲେ। ସେହିଭଳି ତାଙ୍କୁ ୨୦୧୧ ଓ ୨୦୧୫ ବିଶ୍ୱକପ୍‌ ଟିକେଟ୍‌ ମିଳି ନ ଥିଲା। ଏହି ତାମିଲନାଡ଼ୁ ଭେଟେରାନ ଉଇକେଟ୍‌କିପର ଜାତୀୟ ଦଳ ପକ୍ଷରୁ ୨୬ ଟେଷ୍ଟ, ୯୧ ଦିନିକିଆ ଓ ୩୨ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ଦିନିକିଆରେ ସେ ୯ଟି ଅର୍ଦ୍ଧଶତକ ସହାୟତାରେ ୩୧ ଆଭରେଜରେ ୧୭୩୮ ରନ ସଂଗ୍ରହ କରିଛନ୍ତି।

Share