Categories: ବାଣିଜ୍ୟ

ବହୁଦୃଷ୍ଟିରୁ ବିରଳ ଥିଲେ ବିରଲ

ନୂଆଦିଲ୍ଲୀ,୨୫-୬: ଡ.ଉର୍ଜିତ ପଟେଲ ଆର୍‌ବିଆଇର ଡେପୁଟି ଗଭର୍ନର ପଦରୁ ଗଭର୍ନର ଭାବେ ପଦୋନ୍ନତି ପାଇବା ପରେ ଡ.ବିରଲ ଆଚାର୍ଯ୍ୟଙ୍କୁ ମଧ୍ୟ ପଦୋନ୍ନତି ମିଳିଥିଲା ଏବଂ ସେ ଡେପୁଟି ଗଭର୍ନର ହୋଇଥିଲେ। ପଟେଲ ଇସ୍ତଫା ଦେବା ପରେ ସମସ୍ତେ ଭାବିଥିଲେ ଯେ, ତାଙ୍କର ଘନିଷ୍ଠ ସହଯୋଗୀ ବିରଲ ମଧ୍ୟ ତୁରନ୍ତ ନିଜ ପଦରୁ ଇସ୍ତଫା ଦେଇଦେବେ। ବାସ୍ତବରେ କିନ୍ତୁ ତାହା ହୋଇ ନଥିଲା। ସେ ନିଜ ପଦରେ ରହିବା ସହିତ ଆର୍ଥିକ ବ୍ୟାପାର ଏବଂ ଆର୍‌ବିଆଇ ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣକୁ ନେଇ ଖୋଲାଖୋଲି ସମାଲୋଚନା ଜାରି ରଖିଥିଲେ। ମାତ୍ର ୪୨ ବର୍ଷ ବୟସରେ ଆର୍‌ବିଆଇର ଡେପୁଟି ଗଭର୍ନର ହୋଇ ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆଚାର୍ଯ୍ୟଙ୍କୁ ୧୯୯୫ରେ ପ୍ରେସିଡେଣ୍ଟ ମେଡାଲ ମିଳିଥିଲା। ସେ ନ୍ୟୁୟର୍କ ୟୁନିଭର୍ସିଟିରୁ ଡକ୍ଟରେଟ ଉପାଧି ହାସଲ କରିଥିଲେ।
ଗରିବଙ୍କ ରଘୁରାମ ରାଜନ
ଡ.ଆଚାର୍ଯ୍ୟ ନୀତିିନିର୍ଦ୍ଧାରଣ ଭିତରେ ମୁଦ୍ରାସ୍ଫୀତିକୁ ନେଇ କଡା ମନୋଭାବ ପୋଷଣ କରୁଥିବା ଅଧିକାରୀ ଭାବେ ପରିଗଣିତ ଥିଲେ। ସେ ‘ଗରିବଙ୍କ ରଘୁରାମ ରାଜନ’ ଭାବେ ନିଜକୁ ଉଲ୍ଲେଖ କରିଥିଲେ। ଏଣୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକରେ ଯେକେହି ମୁଦ୍ରାସ୍ଫୀତିକୁ ନେଇ ନରମ ମନୋଭାବ ପୋଷଣ କରୁଥିଲେ, ଡ.ଆଚାର୍ଯ୍ୟ ତୁରନ୍ତ ବିରୋଧର ସ୍ବର ଉଠାଉଥିଲେ।
ସଙ୍ଗୀତ ପ୍ରେମୀ
ମୁଦ୍ରାନୀତି ନେଇ କଡା ମନୋଭାବ ପୋଷଣ କରୁଥିବା ଆଚାର୍ଯ୍ୟଙ୍କ ଅନ୍ୟ ଏକ ଭଲ ଦିଗ ରହିଛି। ଥରେ ସେ କେନ୍ଦ୍ର ସରକାର ଓ ଆର୍‌ବିଆଇ ମଧ୍ୟରେ ଥିବା ସମ୍ପର୍କକୁ ହିନ୍ଦି ୍ମ ଗୀତର ପଂକ୍ତି ମାଧ୍ୟମରେ ଉଲ୍ଲେଖ କରିଥିଲେ। ସଙ୍ଗୀତ ପ୍ରତି ଅତ୍ୟନ୍ତ ରୁଚି ରଖୁଥିବା ଆଚାର୍ଯ୍ୟ ନ୍ୟୁୟର୍କରେ ନିଜ କମ୍ପୋଜରେ ଗାଇଥିବା ଗୀତର ଏକ ସିଡି ଲଞ୍ଚ କରିଥିଲେ। ଏଥିରୁ ହୋଇଥିବା ଆୟକୁ ସେ ପରୋପକାରରେ ଖର୍ଚ୍ଚ କରିଥିଲେ।

Share