Categories: ଜାତୀୟ

ବହୁମତ ଦେଇଥିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୩୧ା୫(ପି.ଟି.): ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁମତ ପାଇବା ସହ ଦ୍ୱିତୀୟ ପର୍ଯ୍ୟାୟ ସରକାର ଗଠନ କରିଥିଲେ। ଏହି ସରକାର ଉପରେ ଜନସାଧାରଣଙ୍କର ଅଧିକ ଆଶା ଭରସା ରହିଥିବାରୁ ସରକାରଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଥିଲା। ଏଥିପାଇଁ ବହୁ ବଡ଼ ନିଷ୍ପତ୍ତି ନେବାରେ ସରକାର ସକ୍ଷମ ହୋଇଥିଲେ। ଶନିବାର ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ‘ବିକାଶ ଯାତ୍ରା’ ନାମରେ ସରକାର ନେଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ସଶକ୍ତୀକରଣ ଏବଂ ସେବା ସମ୍ପକର୍ରତ ସବିଶେଷ ତଥ୍ୟ ଜନସାଧାରଣଙ୍କ ସହ ଶେୟାର କରିଛନ୍ତି। ଦେଶର ସମୃଦ୍ଧି ଓ ବିକାଶ ଲାଗି ତାଙ୍କ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଟ୍ରମ୍ପ୍‌ ନିଜ ଟୁଇଟର ଆକାଉଣ୍ଟ ଏବଂ ଓ୍ବେବ୍‌ ପୋର୍ଟାଲରେ ପୋଷ୍ଟ କରିଛନ୍ତି। ଏହି ଦସ୍ତାବିଜ୍‌କୁ ବ୍ୟବସାୟର ସରଳୀକରଣ, ଇଜ୍‌ ଅଫ୍‌ ଲିଭିଂ, ଦୁର୍ନୀତି ନିରାକରଣ, କରୋନା ମହାମାରୀ ବିରୋଧରେ ଲଢ଼େଇ ଆଦି ୧୫ ମୁଖ୍ୟାଂଶରେ ବିଭକ୍ତ କରାଯାଇଛି। ଦେଶର ବିକାଶ, ସଶକ୍ତୀକରଣ ଓ ସେବା କ୍ଷେତ୍ରରେ ଆମର ମିଳିତ ଅଭିଯାନ ‘ବିକାଶ ଯାତ୍ରା’କୁ ଦେଖିବା ଲାଗି ମୋଦି ଟୁଇଟ୍‌ କରି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ପୂର୍ବ ପ୍ରତିଶ୍ରୁତି ସମେତ ଭବିଷ୍ୟତ କାର୍ଯ୍ୟଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନୂତନ ଭାରତର ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିଥିଲେ। ଲୋକଙ୍କ ବିପୁଳ ସମର୍ଥନ କାରଣରୁ ସରକାର ପ୍ରଥମ ଦିନରୁ ବଡ଼ ସଂସ୍କାର ଓ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଥିଲା। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା, କର୍ପୋରେଟ ଟିକସ ହ୍ରାସ, କୃଷକ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନ୍‌ସନ ଏବଂ ଅଯୋଧ୍ୟା ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷର ପ୍ରମୁଖ ଘଟଣା। ସେହିପରି ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ବା ବ୍ୟବସାୟରେ ସରଳୀକରଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନାଲିଫିତା ଓ ରେଡ୍‌ କାର୍ପେଟ ଯୁଗର ଅବସାନ ଘଟିଥିବା ଉକ୍ତ ଦସ୍ତାବିଜ୍‌ରେ ଉଲ୍ଲେଖ କରାଯାଇଛି।
ସେହିପରି କରୋନା ଭୂତାଣୁ ମହାମାରୀ ବିରୋଧରେ ଦେଶର ଲଢ଼େଇ ଜାରି ରହିଛି। ସଂକ୍ରମଣ ରୋକିବା ଦିଗରେ ପ୍ରାରମ୍ଭରୁ ଲକ୍‌ଡାଉନ କାର୍ଯ୍ୟକାରୀ କରିବା, ମେଡିକାଲ ଭିତ୍ତିଭୂମିର ଉନ୍ନତି, ବିଶ୍ୱରେ ସର୍ବାଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଉତ୍ପାଦନ ସମେତ ଗରିବଙ୍କୁ ସହାୟତା ଲାଗି ଅନେକ ପଦକ୍ଷେପ ନିଆଯାଇଛି। ମୋଦି ସରକାରଙ୍କ ସଂସ୍କାର ପଦକ୍ଷେପ ଦେଶକୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହୋଇଥିବା ଡକ୍ୟୁମେଣ୍ଟରେ କୁହାଯାଇଛି। ବିଦେଶ ନୀତି ହେଉ ଅବା ଜାତୀୟ ନିରାପତ୍ତା, ମୋଦି ସବୁବେଳେ ଭାରତ ପ୍ରଥମ ଉପରେ ବିଶ୍ୱାସ କରିଥାନ୍ତି। ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ମୋଦି ସରକାରଙ୍କର ଏକ ଐତିହାସିକ ପଦକ୍ଷେପ। ସେହିପରି ଦେଶରୁ ଦୁର୍ନୀତି ହଟାଇବାରେ ମଧ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି।

ପ୍ରମୁଖ ସେକ୍ଟରର ବିକାଶ ଲାଗି ଭିଜନ୍‌

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଛି। ଏନେଇ ମୋଦି ଶନିବାର କେତେକ ପ୍ରମୁଖ ସେକ୍ଟରର ବିକାଶ ଲାଗି ରୋଡ୍‌ମ୍ୟାପ୍‌ ଶେୟାର କରିଛନ୍ତି। ସେ ସିରିଜ୍‌ ଟୁଇଟ୍‌ କରି କୃଷି, ପ୍ରତିରକ୍ଷା, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ପ୍ରମୁଖ ସେକ୍ଟର୍‌ର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆ ଭାରତ ଗଠନ ଲାଗି ସେ କେନ୍ଦ୍ର ସରକାରଙ୍କ ଭିଜନ୍‌ ସମ୍ପର୍କରେ ଆଲୋକପାତ କରିଛନ୍ତି।
କୃଷି କ୍ଷେତ୍ର ହେଉଛି ଦେଶର ମେରୁଦଣ୍ଡ। କୃଷକମାନେ ଦିନରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଶବାସୀଙ୍କ ଲାଗି ଖାଦ୍ୟ ଯୋଗାଉଛନ୍ତି। ସେମାନଙ୍କ ଲାଗି ଆମେ ଗର୍ବିତ। କୃଷିର ବିକାଶ ଲାଗି ସଂସ୍କାର ଦରକାର। ଏହାର ବିକାଶ ଓ କୃଷକଙ୍କ ଜୀବନ ଧାରଣର ମାନ ବଢ଼ାଇବା ସହ ବଜାର ସୃଷ୍ଟିକରିବା ଓ ମଧ୍ୟସ୍ଥଙ୍କୁ ହଟାଇବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଥିବା ମୋଦି ଦର୍ଶାଇଛନ୍ତି। ଏଣିକି କୃଷକମାନେ ସେମାନଙ୍କ ଉତ୍ପାଦିତ ଅମଳ ଯେକୌଣସି ବଜାରରେ ଅବାଧ ବିକ୍ରି କରିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯିବ। କୃଷି କ୍ଷେତ୍ରକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ଓ ପୁଞ୍ଜିନିବେଶ ବୃଦ୍ଧିକରିବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପନିପରିବା, ଡାଲିଜାତୀୟ ଦ୍ରବ୍ୟ ବିକି କୃଷକମାନେ ଏଣିକି ଅଧିକ ଲାଭ ଉଠାଇପାରିବେ ବୋଲି ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି। ମୁକ୍ତରେ ଚାଷୀମାନେ ଫସଲ ଅମଳ କରିବା ଓ ଏଗୁଡ଼ିକୁ ବଜାରରେ ଭଲ ଦରରେ ବିକ୍ରିକରିବା ଲାଗି ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି ଏଥିରେ ଦର୍ଶାଯାଇଛି। ଦେଶ ଆତ୍ମନିର୍ଭରଶୀଳ ହେଲେ ବିକାଶଧାରାକୁ ଫେରିପାରିବ ବୋଲି କୁହାଯାଇଛି।
ପ୍ରତିରକ୍ଷା କ୍ଷେତ୍ରର ବିକାଶ ଆଜିର ଆହ୍ବାନ ବୋଲି ଡକ୍ୟୁମେଣ୍ଟରେ କୁହାଯାଇଛି। ଏଥିରେ ମୋଦି ସରକାର ସଂସ୍କାର ଲାଗି କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଇଣ୍ଡିଆ ଫାଷ୍ଟ’କୁ ଗୁରୁତ୍ୱ ଦିଆଯିବା ସହ ପ୍ରତିରକ୍ଷାସ୍ତରରେ ଭାରତ କିପରି ବିଶ୍ୱରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଫାଇଟର ଜେଟ୍‌, ଆଟାକ୍‌ ହେଲିକପ୍ଟର, ବନ୍ଧୁକ ନିର୍ମାଣ ସହ ମହାକାଶ କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବା ଉପରେ ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି। ସ୍ପେଶ୍‌ ଟେକ୍ନୋଲୋଜିର ବିକାଶ, ଇସ୍ରୋକୁ ଅଧିକ ସଶକ୍ତ କରିବା, ପରମାଣୁ ଶକ୍ତିକୁ ବିକାଶ କାର୍ଯ୍ୟରେ ଲଗାଇବା, ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେବା ଉପରେ ପ୍ରାଥମିକତା ଦିଆଯାଇଛି। ଏଥିସହ ପାଇପ୍‌ଲାଇନ୍‌ ପରିଯୋଜନାକୁ ବଳିଷ୍ଠ କରିବା ଲାଗି କୁହାଯାଇଛି।
ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶ ଅଧିକ ଗୁରୁତ୍ୱ ରଖୁଛି। ଭାରତ ଏଭଳି ଏକ ପଦକ୍ଷେପ ନେଉଛି, ଯେଉଁଥିରେ ଗରିବ ଲୋକମାନେ ମଧ୍ୟ ସମସ୍ତ ଚିକିତ୍ସା ସୁବିଧାର ସୁଫଳ ପାଇପାରିବେ ବୋଲି ମୋଦି ଟୁଇଟ୍‌ କରି କହିଛନ୍ତି। ଦେଶର ମୁଣ୍ଡପିଛା ସ୍ବାସ୍ଥ୍ୟ ଖର୍ଚ୍ଚ ଦୁଇଗୁଣ ପାଖାପାଖି ହୋଇଥିବା ସେ କହିଛନ୍ତି। ୨୦୧୫ ଆର୍ଥିକ ବର୍ଷରେ ଏହା ୧,୦୦୮ ଥିବାବେଳେ ୨୦୦୦ ମସିହାରେ ଏହା ବୃଦ୍ଧିପାଇ ୧,୯୪୪ରେ ପହଞ୍ଚିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭାଗର ବଜେଟ ୨୦୨୦ରେ ୩୭,୦୬୧ କୋଟିରୁ ୬୫,୦୦୧ କୋଟିକୁ ବୃଦ୍ଧି କରାଯାଇଥିବା ଡକ୍ୟୁମେଣ୍ଟରେ ଦର୍ଶାଯାଇଛି। ସେହିଭଳି ଶିକ୍ଷାର ବିକାଶ ଲାଗି ସରକାର ଅନେକ ବିକାଶମୂଳକ ପଦକ୍ଷେପ ନେଉଥିବା କୁହାଯାଇଛି। ବିଶ୍ୱସ୍ତରୀୟ ଶିକ୍ଷା, ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ମୋଦି ଦର୍ଶାଇଛନ୍ତି।

Share