ବହୁ ଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲା:୧୦ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର, ୧-୧୧(ବ୍ୟୁରୋ):ବହୁଚର୍ଚ୍ଚିତ ସନ୍ଦୀପ ନନ୍ଦ ହତ୍ୟା ମାମଲାର ଶୁଣାଣି କରି ଭୁବନେଶ୍ୱର ଚତୁର୍ଥ ଅତିରିକ୍ତ ଜିଲା ଦୌରାଜଜ୍‌ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ୧୦ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ସତ୍ୟ ରଞ୍ଜନ ପ୍ରଧାନ। ଜରିମାନା ଅନାଦାୟ ହେଲେ ଆହୁରି ୬ମାସ ଜେଲ୍‌ ଭୋଗିବାକୁ ପଡିବ। ୧୯ ଜଣଙ୍କ ସାକ୍ଷ୍ୟ ଓ ୨୪ଟି କାଗଜପତ୍ରକୁ ଆଧାର କରି ବିଚାରପତି ପ୍ରଧାନ ଏହି ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ହେଲେ ଆଶିଷ କୁମାର ବେହେରା (୨୬), ଶୈଳେନ୍ଦ୍ର ସାମନ୍ତରାୟ (୪୧), ସୁନୀଲ କୁମାର ସାମନ୍ତରାୟ (୩୬), ଘନଶ୍ୟାମ ବାଉତ (୩୮), ପ୍ରଭାତ ରଞ୍ଜନ ବେହେରା (୪୪), ତ୍ରିଲୋଚନ ବେହେରା (୩୪), ଛବୀନ୍ଦ୍ର ବେହେରା (୩୭), ପ୍ରକାଶଚନ୍ଦ୍ର ବେହେରା (୩୪), ଅଶୋକ କୁମାର ବାଉତ (୩୫) ଓ ବିଷ୍ଣୁପ୍ରସାଦ ବେହେରା (୪୨)। ସମସ୍ତ ଅଭିଯୁକ୍ତଙ୍କ ଘର ଘାଟିକିଆ ଅଞ୍ଚଳରେ। ସରକାରୀ ପିପି ଭାବେ ମାମଲା ପରିଚାଳନା କରୁଥିଲେ ଡା. ସୁରେଶ କୁମାର ବାରି। ସହଯୋଗ କରିଥିଲେ ରଞ୍ଜିତ ମହାପାତ୍ର ଓ ସୁଧାଂଶୁ ଶେଖର ପଣ୍ଡା।
୨୦୧୨ ଏପ୍ରିଲ ୧ରେ ଖଣ୍ଡଗିରି କଳିଙ୍ଗନଗର ଛକରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଘାଟିକିଆ ଅଞ୍ଚଳର ସନ୍ଦୀପଙ୍କ ଗୋଷ୍ଠୀ ସହ ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ବହୁଦିନ ହେବ ଶତ୍ରୁତା ଲାଗି ରହିଥିଲା। ଘଟଣାଦିନ ସନ୍ଦୀପ ତା’ର ଦୁଇ ବନ୍ଧୁ ଦେବାଶିଷ କର ଓ ଲୋକନାଥ ମହାପାତ୍ରଙ୍କ ସହ ଘାଟିକିଆ ଛକସ୍ଥିତ ଏକ ଦୋକାନରୁ ଚା’ ପିଇ ବାଇକଯୋଗେ କଳିଙ୍ଗ ନଗର ଛକରେ ପହଞ୍ଚତ୍ଥିଲେ। ପୂର୍ବରୁ ସେଠାରେ ଯୋଜନାବଦ୍ଧଭାବେ ଜଗି ରହିଥିବା ୧୦ଜଣ ଅଭିଯୁକ୍ତ ଲୁହାରଡ୍‌, ହକି ଷ୍ଟିକ ଓ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପୋଲିସ ଗୁରୁତର ଅବସ୍ଥାରେ ୩ଜଣଙ୍କୁ ଉଦ୍ଧାର କରି ଖଣ୍ଡଗିରି ଥାନାଞ୍ଚଳରେ ଥିବା ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସନ୍ଦୀପଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଏନେଇ ଖଣ୍ଡଗିରି ଥାନା ପୋଲିସ ଆଇପିସି ଦଫା ୨୯୪, ୩୪୧, ୩୦୨ ଓ ୩୪ରେ ମାମଲା ନଂ.୧୨୬/୧୨ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Share