ବହୁ ବାଦବିବାଦ ପରେ ଖୋଲିଲା ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ): ଅହେତୁକ ଫି ବୃଦ୍ଧି, ବିଦ୍ୟାଳୟ ମୌଳିକ ଭିତ୍ତିଭୂମିର ବିକାଶ ନେଇ ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲର ପରିଚାଳନା କମିଟି ଓ ଅଭିଭାବକମାନଙ୍କ ମଧ୍ୟରେ ଚାଲିଆସିଥିବା ଦୀର୍ଘ ଦୁଇ ମାସର ଅସନ୍ତୋଷ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ସାମୟିକ ଭାବେ ପରିସମାପ୍ତ ଘଟିଛି ା ଫଳରେ ସୋମବାରଠାରୁ ପୂର୍ବପରି ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ, ଫି ବୃଦ୍ଧି, ଭିତ୍ତିଭୂମିର ବିକାଶ ନେଇ ଅଭିଭାବକମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଚଳିତବର୍ଷ ବିଦ୍ୟାଳୟ ପକ୍ଷରୁ ଏହାର ସମାଧାନ ନ କରି ଅହେତୁକ ଫି ବୃଦ୍ଧି ଅଭିଭାବକଙ୍କୁ ଚିନ୍ତାରେ ପକାଇଥିଲା। ଏ ନେଇ ଦୀର୍ଘ ଦୁଇ ମାସ ଧରି ଅଭିଭାବକ ବିଦ୍ୟାଳୟ ପରିଚାଳନା କମିଟିଙ୍କ ନିକଟରେ ଜଣାଇଥିଲେ। ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି କୌଣସି ସବୁଜ ସଂକେତ ନ ଦେବାରୁ ବାଧ୍ୟ ହୋଇ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସ୍କୁଲ ବନ୍ଦ କରିଥିଲେ । ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଗତ ୨୧ ତାରିଖ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଅଭିଭାବକମାନଙ୍କର ଅସହଯୋଗ ଯୋଗୁ ଦୁଇଦିନ ଧରି ସ୍କୁଲ ବନ୍ଦ ରହିଥିଲା । ଫଳରେ ସ୍କୁଲ କର୍ତ୍ତୃପକ୍ଷ ଜିଲା ପ୍ରଶାସନ ତରଫରୁ ଭବାନୀପାଟଣା ଉପ-ଜିଲାପାଳ ମିର୍ଦ୍ଧା ଟପ୍ପୋ ଓ ଟାଉନ୍‌ ପୋଲିସ ଆଇଆଇସି ସତ୍ୟପ୍ରକାଶ ନନ୍ଦଙ୍କ ସହଯୋଗରେ ଅଭିଭାବକମାନଙ୍କୁ ନେଇ ସମସ୍ୟାର ଆଶୁ ସମାଧାନ ନିମନ୍ତେ ବାଧ୍ୟ ହୋଇ ଗତ ୨୩ ତାରିଖ ରବିବାର ଦିନ ଏକ ମିଟିଂ ଆୟୋଜନ କରିଥିଲେ ।