ବହୁ ମେଶିନ ଅଚଳ: ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କଟକ ଅଫିସ,୭ା୩: ଏସ୍‌ସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଥିବା ଅନେକ ମେଶିନ ଅଚଳ ହୋଇପଡ଼ିଛି। ଦିନବେଳା ପରୀକ୍ଷାଗାରଗୁଡିକରେ ତାଲା ପଡିରହୁଛି। କିଛି ପରୀକ୍ଷାଗାର ଖୋଲାଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ଏଠାରେ କୌଣସି କର୍ମଚାରୀ ରହୁନାହାନ୍ତି। ଫଳରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଡିକାଲରେ ଅସହାୟ ରୋଗୀଙ୍କ ସେବା କରୁଥିବା ସାମାଜିକ ଅନୁଷ୍ଠାନ ‘ସେବା ମନ୍ଦିର’ ପକ୍ଷରୁ ଏ ନେଇ ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ବରିଷ୍ଠ ଡାକ୍ତରମାନେ ଆଉଟ୍‌ଡୋରରେ ଠିକ୍‌ ସମୟରେ ଆସୁନାହାନ୍ତି। ପରେ ପହଞ୍ଚିଲେ ମଧ୍ୟ ଅଧିକ ସମୟ ଆଉଟ୍‌ଡୋରରେ ରହୁନାହାନ୍ତି। ଅନ୍ତର୍ବିଭାଗ ଶଯ୍ୟା ନିକଟରେ କେବେ ବି ଇସିଜି ହେଉନାହିଁ। ସମ୍ପୂର୍ଣ୍ଣ ମେଡିକାଲରେ ମୋଟ୍‌ ୪ଟି ଇସିଜି ମେଶିନ ଓ ୪ ଜଣ ଟେକ୍ନିସିଆନ ଅଛନ୍ତି। ଫଳରେ ଦିନତମାମ ଏଠାରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଡପ୍‌ଲର ପରୀକ୍ଷା ପାଇଁ ରୋଗୀଙ୍କୁ ଏଠାରେ ୪ ମାସ ଅପେକ୍ଷା କରିବାକୁ ପଡୁଛି। ହେପାଟାଇଟିସ୍‌ ରୋଗୀଙ୍କ ଏଲିସା ଟେଷ୍ଟ ଏଠାରେ ଆରମ୍ଭ ହୋଇନାହିଁ। ସାଧାରଣ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ୧୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ମାନସିକ ରୋଗୀମାନଙ୍କ ଉତ୍କୃଷ୍ଟ ଚିକିତ୍ସା ପାଇଁ ଯେଉଁ ଇସିଟି ଦେବା କଥା ତାହା ଖୋଲାଯାଇ ପାରୁନାହିଁ। ନିଶ୍ଚେତକ ବିଶେଷଜ୍ଞଙ୍କ ଅଭାବରୁ ଇସିଟି ସେବା ଆରମ୍ଭ ହେଉନାହିଁ। ଅନୁଷ୍ଠାନର ସଦସ୍ୟ ଅଚ୍ୟୁତ କୁମାର ସାହୁଙ୍କ କହିବାନୁଯାୟୀ, ପ୍ରତ୍ୟହ ମେଡିକାଲରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଏ ଦିଗରେ ଧ୍ୟାନ ଦିଆ ନ ଗଲେ ଏହାର ମର୍ଯ୍ୟାଦା କ୍ଷୁଣ୍ଣ ହେବ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲର ଜରୁରିକାଳୀନ ଅଧୀକାରୀ ଡା. ଭୁବନାନନ୍ଦ ମହାରଣାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।

Share