Categories: ଜାତୀୟ

ବାଂଲାଦେଶକୁ ହାତେଇବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ,୨୧ା୬: ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ସବୁଠୁ ଖରାପ ସ୍ଥିତିକୁ ଆସିଯାଇଛି। ଏବେ ଚାଇନା ଭାରତକୁ ଚାରିପଟୁ ଘେରିବା ପାଇଁ ଉଦ୍ୟମ ଚଳାଇଛି। ପାକିସ୍ତାନ ଚାଇନାର ସବୁଦିନିଆ ବନ୍ଧୁ ଓ ଭାରତ ବିରୋଧୀ ହୋଇଥିବାବେଳେ ପଡୋଶୀ ନେପାଳକୁ ମଧ୍ୟ ବେଜିଂ ନିଜ ସପକ୍ଷକୁ ନେବାରେ ସଫଳ ହୋଇଛି। ଏବେ ଭାରତର ଦୃଢ଼ ସହଯୋଗୀ ପଡ଼ୋଶୀ ବାଂଲାଦେଶକୁ ନିଜ ସପକ୍ଷକୁ ନେବା ପାଇଁ ବେଜିଂ ଜୋର୍‌ଦାର ଉଦ୍ୟମ ଚଳାଇଛି। ବାଂଲାଦେଶକୁ ଚାଇନା ଅନେକ ପ୍ରଲୋଭନ ଦେଖାଉଥିବା ଜଣାପଡ଼ିଛି।
ଗଲଓ୍ବାର ଉପତ୍ୟକା ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଚାଇନାର ଅର୍ଥନୀତିକୁ କ୍ଷତି ପହଞ୍ଚାଇବା ଲାଗି ଭାରତ ପଦକ୍ଷେପ ଆରମ୍ଭ କରିଛି। ଫଳରେ ବେଜିଂ ଏବେ ଢାକା ସହ ବାଣିଜ୍ୟ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରୁଛି। ବାଂଲାଦେଶକୁ ଯାଉଥିତ୍ବା ୫,୧୬୧ ସାମଗ୍ରୀ ଉପରେ ଚାଇନା ୯୭% ଶୁଳ୍କ ଛାଡ଼ କରିଛି। ବାଂଲାଦେଶ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ପାଇଁ ବେଜିଂକୁ ଅନୁରୋଧ କରିଥିଲା। ଗତ ୧୬ ତାରିଖରେ ବେଜିଂ ଏଥିରେ ସମ୍ମତି ପ୍ରଦାନ କରିଛି। ଜୁଲାଇ ମାସରୁ ଏହା କାର୍ଯ୍ୟକାରୀ ହେବ ବୋଲି ବାଂଲାଦେଶ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ରିହାତି ଫଳରେ ଢାକା ବେଜିଂର ଅଧିକ ନିକଟତର ହୋଇପାରିବ।
ଦୀର୍ଘଦିନ ଧରି ବାଂଲାଦେଶ ସହ ଭାରତର ଉତ୍ତମ ବନ୍ଧୁତା ରହିଆସିଥିଲା, ଯାହା ଚାଇନାକୁ ଦୂରେଇ ରଖିଥିଲା। ତେବେ ଗତବର୍ଷ ଭାରତ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ନାଗରିକ ସଂଶୋଧନ ଆଇନ ଆଣିବା ପରେ ଦୁଇଦେଶ ସମ୍ପର୍କକୁ ଧକ୍କା ପହଞ୍ଚତ୍ଥିଲା।

Share