Categories: ଖେଳ

ବାଂଲାଦେଶରେ ପ୍ରଥମଥର ମହିଳା ବଡି ବିଲ୍ଡିଂ ଇଭେଣ୍ଟ

ଢାକା, ୩୧।୧୨ (ଏଏଫ୍‌ପି)- ବାଂଲାଦେଶରେ ପ୍ରଥମଥର ଲାଗି ମହିଳାଙ୍କ ଲାଗି ବଡି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ ବର୍ଷୀୟା ଛାତ୍ରୀ ଆହୋନା ରହମାନ ଚାମ୍ପିୟନ ହୋଇଛନ୍ତି। କିନ୍ତୁ ବାଂଲାଦେଶ ଯେହେତୁ ମୁସଲିମ ବହୁଳ ରାଷ୍ଟ୍ର ତେଣୁ ବିବାଦକୁ ଏଡ଼ାଇବା ଲାଗି ପ୍ରତିଯୋଗୀଙ୍କର ଅଧିକାଂଶ ଶରୀର ଆଚ୍ଛାଦିତ କରି ରଖାଯାଇଥିଲା। ଅନ୍ତର୍ଜାତୀୟ ବଡି ବିଲ୍ଡଂ ପ୍ରତିଯୋଗିତାରେ ଅତ୍ୟନ୍ତ ଛୋଟ ବିକିନ ଆଦର୍ଶ ହୋଇଥିବା ମଧ୍ୟ ଏଠାରେ କିନ୍ତୁ ଆହୋନାଙ୍କ ସମେତ ଅନ୍ୟ ୨୯ଜର ଅଂଶଗ୍ରହଣକାରୀ ଶହ ଶହ ଦର୍ଶକଙ୍କ ସାମ୍ନାରେ ଶରୀରକୁ ଘୋଡ଼ାଇ ରଖିଥିଲେ। ବାଂଲାଦେଶର ରାଜଧାନୀ ଢାକାରେ ଶେଷ ହୋଇଥିବା ଏହି ୩ ଦିବସୀୟ ପ୍ରତିଯୋଗିତାରେ ଆହୋନା ଓ ଅନ୍ୟ ମହିଳା ବଡ଼ି ବିଲ୍ଡରମାନେ ଟାଇଟ୍‌ ଲେଗିନ୍ସ ସହ ବଡିକୁ ଫିଟ୍‌ ହେଲା ଭଳି ଡ୍ରେସ ପିନ୍ଧିଥିଲେ। ‘ମୁଁ ବହୁତ ଖୁସି। ଏଥିପାଇଁ ବହୁତ କଠିନ ପରିଶ୍ରମ କରିଥିଲି। ଶରୀର ପ୍ରଦର୍ଶନ କରୁଥିବାରୁ ମୋତେ କେହି ସମାଲୋଚନା କରିବ କେବେବି ମନରେ ଭାବିନି। ମୋ ଭାଇ ଫିଟ୍‌ନେସ ସେଣ୍ଟର ଚଲଉଥିବାରୁ ସେ ମୋତେ ସବୁବେଳେ ପ୍ରୋତ୍ସାହିତ କରେ’ ବୋଲି ଆହୋନା କହିଛନ୍ତି। ‘ସ୍ବାସ୍ଥ୍ୟ ଓ ଫିଟ୍‌ନେସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଇଥିବା ଏହି ମହିଳା ପ୍ରତିଯୋଗିତାକୁ ବହୁମାତ୍ରାରେ ସମର୍ଥନ ମିଳିଛି। ଆମର ଧର୍ମ ଓ ସାମାଜିକ ଚଳନିକୁ ନେଇ ଆମେ ଡ୍ରେସ କୋଡ୍‌ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲୁ। ବାଳିକାଙ୍କ ଲାଗି ଆମେ ଲମ୍ବା କ୍ରପ୍‌ ଟପ୍ସ ଓ ଲେଗିନ୍ସ ଚୟନ କରିଥିଲୁ’ ବୋଲି ବାଂଲାଦେଶ ବଡି ବିଲ୍ଡିଂ ମହାସଂଘର ସାଧାରଣ ସମ୍ପାଦକ ନଜରୁଲ ଇସଲାମ କହିଛନ୍ତି।

Share