ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯେକୌଣସି ରୋଗ ବଢିବାର ମୁଖ୍ୟ କାରଣ ହେଲା ଏହାର ସଚେତନତାର ଅଭାବ। ତେଣୁ ରୋହିଙ୍ଗ୍ୟା ଶିବିରରେ ଏଚ୍‌ଆଇଭିକୁ ନେଇ କୌଣସି ସଚେତନତା ନ ଥିବାରୁ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି। କେବଳ ଏଚ୍‌ଆଇଭି ନୁହେଁ ଏମାନଙ୍କ ପାଖରେ ଅନ୍ୟ ଯୌନ ରୋଗ ମଧ୍ୟ ବୃଦ୍ଧି ପାଇଛି। ରୋହିଙ୍ଗ୍ୟାମାନଙ୍କ ମତରେ ଯଦି ଜଣେ ଏଚ୍‌ଆଇଭିରେ ପୀଡିତ ବୋଲି ଅନ୍ୟ କେହି ଜାଣନ୍ତି ତେବେ ତାଙ୍କୁ ବଡ ରୋଗ ହୋଇଛି ବୋଲି କହି ବାସନ୍ଦ କରି ଦେଇଥାଆନ୍ତି। ତେଣୁ ଏମାନେ ଏଚ୍‌ଆଇଭିରେ ପୀଡିତ ହେବା ପରେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ ଅବା ଡାକ୍ତରଙ୍କୁ ଏହା ଲୁଚାଇ ଥାଆନ୍ତି। ଫଳରେ ଏବେ ବାଂଲାଦେଶରେ ରହୁଥିବା ରୋହିଙ୍ଗ୍ୟା ଶିବିରରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି କେବଳ କକ୍ସ ବଜାର ରୋଗିଙ୍ଗ୍ୟା ଶିବିରରେ ଏବେସୁଦ୍ଧା ପାଖାପାଖି ୩୯୫ ଜଣ ଏଚ୍‌ଆଇଭି ସଂକ୍ରମିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୫ ଜଣଙ୍କୁ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ଏହାଠାରୁ ମଧ୍ୟ ଅଧିକ ଏଚ୍‌ଆଇଭି ସଂକ୍ରମିତ ଥାଇପାରନ୍ତି ବୋଲି କୁହାଯାଉଛି। ତେବେ ବାଂଲାଦେଶ ସରକାର ଏହାକୁ ରୋକିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆରମ୍ଭ କରିଛନ୍ତି।

Share