Categories: ଖେଳ

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି। ଚୟନ କମିଟିର ଅନ୍ୟ ଦୁଇ ସଦସ୍ୟ ମିନହାଜୁଲ ଆବେଦିନ ଓ ହାବିବୁଲ ବାଶର ରହିଛନ୍ତି। ପୂର୍ବରୁ ଚୟନ କମିଟିର ତୃତୀୟ ସଦସ୍ୟ ଥିଲେ ଫାରୁକ ଅହମ୍ମଦ। ରଜାକଙ୍କୁ ପ୍ରସ୍ତାବ ଦିଆଯାଇଥିବା ବିସିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉତ୍ତର ଦେବା ଲାଗି ରଜାକଙ୍କୁ ସମୟ ଦରକାର। ରଜାକଙ୍କୁ ଚୟନ କମିଟି ସଦସ୍ୟ କରିବା ପ୍ରସ୍ତାବ ଦିଆଯିବା ପୂର୍ବରୁ ବାଶରଙ୍କୁ ପଚରା ଯାଇଥିଲା ବୋଲି ବିସିବି କ୍ରିକେଟ ଅପରେଶନ୍ସ ଚେୟାରମ୍ୟାନ ଆକ୍ରମ ଖାଁ କହିଛନ୍ତି। ଢାକା ପ୍ରିମିୟର ଲିଗ୍‌ ପରେ ସେ ନିଷ୍ପତ୍ତି ନେଇଥାନ୍ତେ। କିନ୍ତୁ ଡିପିଏଲ ସ୍ଥଗିତ ହୋଇଯାଇଥିବାରୁ ମୁଁ ଶୀଘ୍ର ନିଷ୍ପତ୍ତି ନେବି ବୋଲି ରଜାକ କହିଛନ୍ତି। ମୋତେ ଏହି ଦାୟିତ୍ୱ ପାଇଁ କ୍ରିକେଟ ଛାଡ଼ିବାକୁ ପଡ଼ିବ। ଏହା ମୋ ପାଇଁ କଠିନ ନିଷ୍ପତ୍ତି। ମୋତେ ସମୟ ଦରକାର କାରଣ ମୋ ନିଷ୍ପତ୍ତି ପରେ ପଶ୍ଚାତାପ ନ ରହୁ ବୋଲି ସେ କହିଛନ୍ତି। ସେ ଅନ୍ତିମ ଥର ୨୦୧୮ରେ ଅନ୍ତର୍ଜାତୀୟ ଟେଷ୍ଟ ଖେଳିଥିଲେ। ଅନ୍ତର୍ଜାତୀୟ ସ୍ତରରେ ରଜାକ ୧୩ ଟେଷ୍ଟ, ୧୫୩ ଦିନିକିଆ ଓ ୩୪ ଟି୨୦ ମ୍ୟାଚ୍‌ ଖଳିଥିଲେ, ଯେଉଁଥିରୁ ସେ ମୋଟ ୨୭୯ ଉଇକେଟ ହାସଲ କରିନେଇଛନ୍ତି।

Share