Categories: ଖେଳ

ବାଂଲାଦେଶ ଦଳରେ ଆରାଫତ, ଅଲ୍‌ ଅମିନ

ଢାକା, ୧୮।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ମାସରେ ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୧୫ ଜଣିଆ ବାଂଲାଦେଶ ଦଳ ଘୋଷିତ ହୋଇଛି। ଦଳକୁ ବାମହାତୀ ସ୍ପିନର ଆରାଫତ ସନ୍ନି ଏବଂ ପେସର ଅଲ୍‌-ଅମିନ ହୋସେନ ଡାକରା ପାଇଛନ୍ତି। ଓପନର ତାମିମ୍‌ ଇକବାଲ ମଧ୍ୟ ଦଳକୁ ଫେରିଛନ୍ତି। ଜିମ୍ବାଓ୍ବେ, ଆଫଗାନିସ୍ତାନ ଓ ବାଂଲାଦେଶକୁ ନେଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜରେ ସେ ଖେଳିପାରି ନ ଥିଲେ। ଭାରତ ଗସ୍ତରେ ଆସୁଥିବା ବାଂଲାଦେଶ ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଖେଳିବ। ପରବର୍ତ୍ତୀ ୨ଟି ଗେମ୍‌ ଯଥାକ୍ରମେ ରାଜକୋଟ ଓ ନାଗପୁରରେ ନଭେମ୍ବର ୭ ଓ ୧୦ ତାରିଖରେ ଅନୁଷ୍ଠିତ ହେବ।
ଉଭୟ ସନ୍ନି ଓ ହୋସେନ ଦୀର୍ଘଦିନଧରି ବାଂଲାଦେଶ ଦଳରୁ ଦୂରରେ ରହିଥିଲେ। ଶେଷଥର ସେମାନେ ୨୦୧୬ରେ ଦଳ ପକ୍ଷରୁ ଟି୨୦ରେ ପ୍ରତିନିଧିତ୍ୱ କରିଥିଲେ। ୧୦ଟି ଟି୨୦ରୁ ୧୨ଟି ଉଇକେଟ ନେଇଥିବା ୩୩ ବର୍ଷୀୟ ସନ୍ନି ୨୦୧୬ ଆଇସିସି ଟି୨୦ ବିଶ୍ୱକପ ଅବସରରେ ବେନିୟମ ବୋଲିଂ ଆକ୍ସନ ଯୋଗୁ ସସପେଣ୍ଡ ହୋଇଥିଲେ। ଏହା ବ୍ୟତୀତ ପାରିବାରିକ ବିବାଦରେ ସମ୍ପୃକ୍ତି କାରଣରୁ ସେ ୨୦୧୭ରେ ଗିରଫ ହୋଇ ୨ ମାସ ଜେଲ୍‌ ଦଣ୍ଡ ମଧ୍ୟ ଭୋଗିଥିଲେ। ହୋସେନ ୨୦୧୬ ଆଇସିସି ଟି୨୦ ବିଶ୍ୱକପ ପରଠାରୁ ଆଉ ବାଂଲାଦେଶ ପକ୍ଷରୁ ଖେଳିପାରି ନାହାନ୍ତି। ”ଭାରତ ଏକ ଶକ୍ତିଶାଳୀ ଦଳ। ଏହା ବିପକ୍ଷ ମ୍ୟାଚ ପାଇଁ ଦଳରେ ଜଣେ ଅଭିଜ୍ଞ ସ୍ପିନରଙ୍କ ଆବଶ୍ୟକ ଥିବାରୁ ଆମେ ସନ୍ନିଙ୍କୁ ସାମିଲ କରିଛୁ। ସେହିପରି ଅନ୍ୟ ଫାଷ୍ଟ ବୋଲରମାନେ ଆହତ ଥିବାରୁ ଅଲ୍‌-ଅମିନଙ୍କୁ ସୁଯୋଗ ଦିଆ ଯାଇଛି“ ବୋଲି ଚୟନ କମିଟି ମୁଖ୍ୟ ମିନ୍‌ହାଜୁଲ ଆବେଦିନ ପ୍ରକାଶ କରିଛନ୍ତି। ଚୟନକର୍ତ୍ତାମାନେ ସବିର ରହମନ, ନଜମୁଲ ହୋସେନ ଶାନ୍‌ତୋ, ରୁବେଲ ହୋସେନ ଓ ତାଜିଉଲ ଇସଲାମଙ୍କୁ ଦଳରୁ ବାଦ୍‌ ଦେଇଛନ୍ତି। ଏମାନେ ଘରୋଇ ପରିବେଶରେ ତ୍ରିରାଷ୍ଟ୍ରୀୟ ସିରିଜ ଖେଳିଥିଲେ।
ବାଂଲାଦେଶ ଦଳ: ଶାକିବ ଅଲ ହାସନ(ଅଧିନାୟକ), ତାମିମ ଇକବାଲ, ଲିଟନ ଦାସ, ସୌମ୍ୟ ସରକାର, ନଇମ୍‌ ସେଖ୍‌, ମୁସଫିକର ରହିମ, ମହମ୍ମଦ ରିୟାଦ, ଅଫିଫ ହୋସେନ, ମୁଦାସେକ୍‌ ହୋସେନ, ଅନିମୁଲ ଇସଲାମ ବିପ୍ଲୋବ, ଆରାଫତ ସନ୍ନି, ମହମ୍ମଦ ସୈଫୁଦ୍ଦିନ, ଅଲ୍‌-ଅମିନ ହୋସେନ, ମୁସ୍ତାଫିଜୁର ରହମନ, ଶାଫୁଉଲ ଇଲାମ।

Share