ବାଂଶଡ଼ା ସେତୁ ଲାଗି କଂଗ୍ରେସର ଆନ୍ଦୋଳନ: ଭଦ୍ରକ-ଧାମରା ରେଳଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମନ୍ତେଈ ନଦୀ ଉପରେ ନିର୍ମାାଣାଧୀନ ବାଂଶଡ଼ା ସେତୁ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇ ପଡ଼ିରହିଛି । ୨୦୧୩ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୧୬ରେ ଶେଷ ହେବାକୁ ଥିବା ବେଳେ ଏହା ଏବେ ଅଧାରେ ଅଟକିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାନ୍ଦବାଲି ବ୍ଲକ କଂଗ୍ରେସ ଡାକରାରେ କେତେଜଣ କଂଗ୍ରେସ କର୍ମୀ ବାଂଶଡ଼ା ରେଳପୋଲ ନିକଟରେ ରେଳରୋକୋ କରିଛନ୍ତି । ଫଳରେ ଭଦ୍ରକ-ଧାମରା ରେଳଲାଇନରେ ମାଲବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କଂଗ୍ରେସ କର୍ମୀ ବାଂଶଡ଼ା ଫେରିଘାଟ ବନ୍ଦ କରିବା ସହିତ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏହି ଆନ୍ଦୋଳନ ସକାଳ ୮ ଟାରୁ ଆରମ୍ଭହୋଇ ଅପରାହ୍ନ ୫ ଟାରେ ଶେଷ ହେବାକୁ ସ୍ଥିର ହୋଇଥିଲା । ମାତ୍ର ଖବର ପାଇ ଚାନ୍ଦବାଲି ଏସ୍‌ଡିପିଓ, ଧାମରା ବନ୍ଦର କର୍ତ୍ତୃପକ୍ଷ, ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ । କେତେକ ବୈଷୟିକ ତ୍ରୁଟି ପାଇଁ କାମ ଅଧାରେ ଅଟକିଥିବା ବେଳେ ଖୁବ୍‌ ଶୀଘ୍ର ଏହା ଆରମ୍ଭ ହେବାକୁ ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେବାରୁ ମଧ୍ୟାହ୍ନରେ ଆନ୍ଦୋଳନ ବନ୍ଦ ହୋଇଛି ।