ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି ପ୍ରାୟ ୮ଟାରେ ତୁଡାଲଗା ଗ୍ରାମର ସିମଲ ଜଗତ(୨୬) ଓ ରକି ବାରିକ(୨୫) ବାଇକ୍‌ରେ ବଡଗାଁରୁ ଘରକୁ ଫେରୁଥିବା ବେଳେ ସ୍କାନ୍‌ଷ୍ଟିଲ କମ୍ପାନୀର ଏକ ବସ୍‌ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେମାନେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହେଲେ ଉଦ୍ଦେଶ୍ୟମୂଳକ ଭାବେ ବସ୍‌ ଚାଳକ ବାଇକ୍‌କୁ ଧକ୍କା ଦେଇ ହତ୍ୟା ଉଦ୍ୟମ କରିଥିବା ନେଇ ରବିବାର ରାତିରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ନ ଥିଲା। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା। ଆଲୋଚନାରେ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ହତ୍ୟା ଉଦ୍ୟମ କରିଥିବା ବସ୍‌ ଚାଳକ ଜଗଦୀଶଙ୍କୁ ଗିରଫ କରି ବସ୍‌ ଜବତ କରିବାକୁ ଦାବି କରିଥିଲେ। ଏନେଇ ଗ୍ରାମବାସୀ ତଲସରା ବିଧାୟକ ଭବାନୀ ଭୋଇଙ୍କୁ ଫୋନରେ ଜଣାଇଥିଲେ। ବିଧାୟକ ଭୋଇ ଏସ୍‌ପି ସୌମ୍ୟ ମିଶ୍ରଙ୍କୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୭ଟାରେ ସେ ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଏସ୍‌ପି ମିଶ୍ର ଘଟଣାର ତଦନ୍ତ ଦାୟିତ୍ୱ ଜଣେ ଡିଏପ୍‌ପିଙ୍କୁ ଦେବା ସହ ବସ୍‌ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷେ ପୋଲିସ ଏକ ମାମଲା(ନଂ.୧୦୬/୧୯) ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।