ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19 ଉଲଘଂନ କରି ବାଇକରେ ବୁଲୁଥିବା ବାଇକଚାଳକଙ୍କ ଉପରେ କଦା ଆଭିମୁଖ୍ଯ ଗ୍ରହଣ କରିଛି ପ୍ରଶାସନ । ଅତ୍ଯାବଶ୍ଯକ ସାମଗ୍ରୀ କ୍ରୟ ଲାଗି ଚାଲି କି ଆସିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉଲ୍ଲଂଘନକାରୀଙ୍କ ବାଇକ ଜବତ କରିଛି ପ୍ରଶାସନ। ରବିବାର ନୂଆ ବସଷ୍ଟାଣ୍ଡ ନିକଟ ହାବେଳି ପଡିଆ ପରିବା ହାଟକୁ ବାଇକ ଧରି ଆସିଥିବା ବ୍ଯକ୍ତିଙ୍କ ବାଇକ ଜବତ କରିଛି ପୋଲିସ। ରାସ୍ତା କଡ଼ରେ ଥିବା ଦଶଟି ବାଇକକୁ ଉଠାଇ ନେଇଛି ପୋଲିସ। ଫଳରେ ହାଟକୁ ପରିବା କିଣିବା ଲାଗି ବାଇକରେ ଆସିଥିବା ବ୍ଯକ୍ତି ହଟହଟା ହୋଇଛନ୍ତି। ପୋଲିସକୁ କାକୁତି ମିନତି ହୋଇ ବିଫଳ ହେବା ପରେ କେତେଜଣ ଚାଲି କି ଘରକୁ ଫେରିଥିଲେ। ଏଣିକି ବାଇକ ରେ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ ଶାନ୍ତନୁ ମହାନ୍ତି କହିଛନ୍ତି । ବାରମ୍ବାର ତାଗିଦ୍ ସତ୍ତ୍ବେ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡୁନାହି। ଏଥର ପରିବା ହାଟ, ମାଛ ହାଟ, ଗ୍ରୋସରୀ ଦୋକାନ ଆଗରେ ପାର୍କିଂ ହୋଇଥିବା ବାଇକୁ ଉଠାଇ ନିଆଯିବ। ପୋଲିସ ଓ ପ୍ରଶାସନର ମିଳିତ ଭାବେ ନୂଆ ବସଷ୍ଟାଣ୍ଡ, ଟିଏଲସି ଛକ, ଚଣ୍ଡିଚୁଆ ଛକ ଓ ମୁକୁନ୍ଦ ପ୍ରସାଦ ଛକରେ ବାଇକ ଚେକିଂ କୁ କଡାକଡି କରାଯାଇଛି। ବିନା କାରଣରେ ବୁଲୁଥିବା, ସଠିକ ପ୍ରମାଣ ମିଳିଲେ, ବାଇକ ଜବତ କରାଯିବା ସହ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଉପ ଜିଲାପାଳ ମହାନ୍ତି କହିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଗତ ଦଶ ଦିନ ମଧ୍ୟରେ ପ୍ରାୟ 150 ରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇଥିବା ଜଣାପଡ଼ିଛି।

Share