ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ମଠକରଗୋଳା ଅଞ୍ଚଳର ଗତିକୃଷ୍ଣ ଖୁଣ୍ଟିଆ। ଗୁରୁତର ସ୍ତ୍ରୀ ଅହଲ୍ୟା ଖୁଣ୍ଟିଆଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ପ୍ରତିବାଦ କରି ରାଙ୍କିଆଠାରେ ଜିରାଳ-ପଣ୍ଡୁଆ ରାସ୍ତାକୁ ଲୋକମାନେ ଅବରୋଧ କରିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ସକାଳେ ସ୍ତ୍ରୀସ୍ବାମୀ ମଠକରଗୋଳାରୁ ସମ୍ପର୍କୀୟଙ୍କ ଘର ବୋଲୁଅ ଗ୍ରାମକୁ ଯାଉଥିବା ବେଳେ ସେହି ରାସ୍ତାରେ ଜିରାଳ ଆଡ଼ୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ତାଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଗତିକୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଗୁରୁତର ଅହଲ୍ୟାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।