ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

କେନ୍ଦୁଝର, ୨୯ା୧(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ସୁନାଟାଙ୍ଗିରୀ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ, ନରଣପୁର-ଡୁବୁରୀ ରାସ୍ତାର ସୁନାଟାଙ୍ଗିରୀ ନିକଟରେ ପଣ୍ଡାପଡା ଆଡୁ ଆସୁଥିବା ଏକ ଗ୍ଲାମର ବାଇକ୍‌କୁ କେନ୍ଦୁଝର ପଟୁ ଦ୍ରୂତଗତିରେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ଜୁଙ୍ଗା ପଞ୍ଚାୟତ ଠାକୁରକାଳିମାଟି ଗ୍ରାମର ରୁନା ନାଏକ(୨୬) ଓ ଓସ୍ତପଙ୍ଗା ଘୋଳିଆନାଳିର ନୃସିଂହ ନାଏକ(୨୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଦୁର୍ଘଟଣାସ୍ଥଳରେ ହମ୍ପସ ନିର୍ମାଣ ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବୋଲି ଫଳକ ଲଗାଇବା ଦାବିରେ ରାସ୍ତାରୋକୋ କରିଥିଲେ। ଖବରପାଇ ପଣ୍ଡାପଡା ପୋଲିସ, କେନ୍ଦୁଝର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ ଜେମ୍ସ ଟପୋ, ଘଟଗଁ। ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ବଳଭଦ୍ର ପୂର୍ତ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଉଭୟ ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଏବଂ ହମ୍ପସ ନିର୍ମାଣ, ସୂଚନା ଫଳକ ସମ୍ପର୍କରେ ଆଲୋଚନା ପରେ ରାସ୍ତାରୋକୋ ହଟିଥିଲା। ପଣ୍ଡାପଡା ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିବା ଜଣାପଡିଛି।

Share