ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ବାପା ମୃତ, ପୁଅ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ୨ ଘଣ୍ଟା ଧରି ବନ୍ଦ ରହିଲା ଯାତାୟାତ

ନିମାପଡ଼ା,୫।୯(ଡି.ଏନ୍‌.ଏ.): ପୁରୀ ଜିଲା ଖେଲାର-ବଳଙ୍ଗା ରାସ୍ତାର କଅଁରପୁର କଲେଜ ଛକ ନିକଟରେ ଗୁରୁବାର ସକାଳେ ଏକ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଉଭୟ ସମ୍ପର୍କରେ ବାପା-ପୁଅ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ନିମାପଡ଼ା ଥାନା କାଜିପୁର ଗ୍ରାମର କୈଳାସ ବିଶ୍ୱାଳ(୫୫)। ଆହତ ହେଲେ ବ୍ରହ୍ମାନନ୍ଦ ବିଶ୍ୱାଳ।

ସୂଚନାନୁଯାୟୀ, ବାପା କୈଳାସ ଓ ପୁଅ ବ୍ରହ୍ମାନନ୍ଦ ଏକ ବାଇକ୍‌ରେ ପୁରୀ ଯାଉଥିବା ବେଳେ ଉଭୟଙ୍କୁ ଏକ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ଏଥିରେ କୈଳାସ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପିପିଲି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର କୈଳାସଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଉତ୍ତକ୍ତ୍ୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଖେଲାର ଛକଠାରେ ନିମାପଡ଼ା-ପିପିଲି ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ନିମାପଡ଼ା ତହସିଲଦାର କମଲଜିତ ଦାସ, ଖେଲାର ଆର୍‌ଆଇ ପ୍ରୀୟମ୍ବଦା ପ୍ରଧାନ, ଏସ୍‌ଡିପିଓ ଶରତ ମିଶ୍ର ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଏଥିସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ପରେ ରାସ୍ତାରୋକୋ ହଟିଥିଲା।

Share