ବାଇକ୍‌ରୁ ଡେଇଁ ହାତକଡ଼ି ସହ ଚମ୍ପଟ ଅଭିଯୁକ୍ତ ଗିରଫ:୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ବାଂଶଡ଼ା ଥାନାରେ ଏକ କମେଣ୍ଟ ମାରିବା ମାମଲାରେ ଗିରଫ ଜଣେ ଅଭିଯୁକ୍ତ ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର ହେବା ରାସ୍ତାରେ ହାତକଡ଼ି ସହ ବାଇକ୍‌ରୁ ଡେଇଁ ମଙ୍ଗଳବାର ସନ୍ଧ୍ୟାରେ ଚମ୍ପଟ ମାରିଥିଲେ। ପୋଲିସ୍‌ ଖୋଜାଖୋଜି କରି ବିଳମ୍ବିତ ରାତିରେ ତାଙ୍କ ଘର ଜଳେଶ୍ୱରପୁର ପଞ୍ଚାୟତର ପଲେଇସାହିରୁ ଅଭିଯୁକ୍ତ ରାଜେନ୍ଦ୍ର ବାରିକ(ଅଭିମନ୍ୟୁ)ଙ୍କୁ ଗିରଫ କରିଛି। ବାଂଶଡ଼ା ଥାନାର କନଷ୍ଟେବଳ ମୁଷଳ ହାଂସଦାଙ୍କ ଅଭିଯୋଗ କ୍ରମେ ଏ ନେଇ ଚାନ୍ଦବାଲି ଥାନାରେ ଅନ୍ୟ ଏକ ମାମଲା(ନଂ.୨୪୪/୧୯) ରୁଜୁ ହୋଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ କନଷ୍ଟେବଳ ତୁଷାରକାନ୍ତ ଦାସ ଓ ମୁଷଳ ହାଂସଦାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜଳେଶ୍ୱରପୁର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମାମଲାରେ ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ସୋମବାର ସନ୍ଧ୍ୟାରେ ପରମାନନ୍ଦପୁର ଦୁର୍ଗାମଣ୍ଡପ ନିକଟରୁ ଧରାଯାଇ ବାଂଶଡ଼ା ଥାନାରେ ଅଟକ ରଖାଯାଇଥିଲା। ମଙ୍ଗଳବାର ତାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାକଚ ହେବାରୁ ତାଙ୍କୁ ସନ୍ଧ୍ୟାରେ ଭଦ୍ରକ ଜେଲ୍‌କୁ ନିଆଯାଉଥିଲା। ରାଜେନ୍ଦ୍ରଙ୍କ ହାତରେ ହାତକଡ଼ି ପଡ଼ିଥିବା ବେଳେ ବାଂଶଡ଼ା ଥାନା ପୋଲିସ ତାଙ୍କୁ ଏକ ବାଇକ୍‌ରେ ପଛରେ ବସାଇ ଚାନ୍ଦବାଲିରୁ ଭଦ୍ରକ ଜେଲକୁ ନେଉଥିଲା। ସୁରକ୍ଷା ପାଇଁ ଅନ୍ୟ ଏକ ବାଇକ୍‌ରେ ଆଉ ଜଣେ ପୋଲିସ ତାଙ୍କୁ ପିଛା କରୁଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ନାଲଗୁଣ୍ଡା ବଜାରରେ ଏକ ବଡ଼ ହମ୍ପ୍‌ସଠାରେ ପୋଲିସ ବାଇକ୍‌ର ଗତି ଧୀର କରିବାର ସୁଯୋଗ ନେଇ ରାଜେନ୍ଦ୍ର ଡେଇଁପଡ଼ି ଖସିଯାଇଥିଲେ। ସେଠାରୁ ପ୍ରାୟ ୩ କି.ମି. ଦୂର ତାଙ୍କ ଘରକୁ ଚାଲିଯାଇଥିଲେ। ପୋଲିସ ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲା।

Share