ଯେତେ ବି ଅନୁଭୂତି ଥାଉ, ପ୍ରଥମ ଥର କ୍ୟାମେରା ସମ୍ମୁଖୀନ କରିବାର ଅନୁଭୂତି ଚିରସ୍ମରଣୀୟ।ମଡେଲିଂ କରୁଥିବା ଯୋଗୁ ମୋତେ ସିନେମାରେ ପ୍ରବେଶ କରିବା ସହଜ ହୋଇଥିଲା। ତେବେ କାମ କରିବାର ସୁଯୋଗ ମିଳିବା ପଛରେ ମଧ୍ୟ କିଛି କାହାଣୀ ରହିଛି। ‘ବୋଉ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଚଳଚ୍ଚିତ୍ରର କାହାଣୀକୁ ନେଇ ଏକ ନାୟିକାର ଆବଶ୍ୟକତା ଥାଏ, ଯେଉଁଥିରେ ନାୟିକା ଜଣଙ୍କୁ ବାଇକ ଚଳାଇବା ଜଣାଥିବା ଦରକାର।ସବ୍ୟସାଚୀଙ୍କ ନିର୍ଦ୍ଦେଶ ରହିଲା ଏପରି ଜଣେ ଅଭିନେତ୍ରୀ ଖୋଜିବାକୁ।ଦୁଇ ଭାଇରେ ମୁଁ ଗୋଟିଏ ଭଉଣୀ ହୋଇଥିବାରୁ ଅତି ଗେହ୍ଲାରେ ବଢ଼ିଛି।କୌଣସି ଆକଟ ବିନା ମୋତେ ବାଇକ୍ ଚଳାଇବାର ସ୍ବାଧୀନତା ମୋ ପରିବାର ଓ ଦୁଇ ଭାଇ ଦେଇଥିଲେ।ସବ୍ୟସାଚୀଙ୍କ ନିର୍ଦ୍ଦେଶ ମୁତାବକ ସିନେ ଦୁନିଆର ପରିଚିତ ମୁହଁ ଜୁବୁଲି ସୁନ୍ଦରରାୟ ନାୟିକା ଖୋଜା ଦାୟିତ୍ୱରେ ଥାନ୍ତି।ଜୁବୁଲିଙ୍କ ସହ ପୂର୍ବରୁ ପରିଚିତ ଥିଲି।ମୁଁ ରଙ୍ଗବତୀ ଗୀତ ଶୁଣିବାକୁ ଭଲ ପାଉଥିବାରୁ ଏହାର ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଦେଖା କରାଇଦେବା କହି ଜୁବୁଲି ମୋତେ ସବ୍ୟସାଚୀଙ୍କ କାର୍ଯ୍ୟାଳୟକୁ ନେଇଥିଲେ।ସେଠାରେ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଦେଖା ମଧ୍ୟ ହୋଇଥିଲା।ସେହିଠାରେ ହିଁ ସିନେମାରେ ନାୟିକା ହେବାର ପ୍ରସ୍ତାବ ଦେଇଥିଲେ ନିର୍ଦ୍ଦେଶକ ସବ୍ୟସାଚୀ।ହେଲେ ମୋ ଓଡ଼ିଆ କହିବା ଏତେ ଖରାପ ଥିଲା ଯେ, ଯିଏ ବି ଶୁଣିଥାନ୍ତା ମୋତେ ଓଡ଼ିଆ ଚଳଚ୍ଚିତ୍ରରେ ନେବାକୁ ସିଧାସଳଖ ମନା କରି ଦେଇଥାନ୍ତା।ଚାରି ପଦ କହିଲେ ସେଥିରେ ଓଡ଼ିଆ ହିନ୍ଦୀର ଫେଣ୍ଟାଫେଣ୍ଟି କଥା ଥାଏ।ଏଥିପାଇଁ ନିର୍ଦ୍ଦେଶକ ସବ୍ୟସାଚୀ ମୋତେ ୧୪ଦିନର କର୍ମଶାଳାରେ ରଖିଥିଲେ।କର୍ମଶାଳାରେ ଓଡ଼ିଆ କହିବା, କ୍ୟାମେରାକୁ ସମ୍ମୁଖୀନ କରିବା ଓ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀରେ କେମିତି ବ୍ୟବହାର କରିବାକୁ ପଡ଼ିବ ତାହାର ଶିକ୍ଷା ଦିଆଯାଇଥିଲା।ସୁଟିଂ ପ୍ରଥମ ଦିନରେ ମୋର ଅଭିନୟ ବହୁତ ଭଲ ଥିଲା।ମୋ ବିପକ୍ଷରେ ନାୟକ ଥିଲେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ମୋ ଅଭିନୟ ଦେଖି ସେ ତାଜୁବ ହୋଇ ଯାଇଥିଲେ।ଏହି ଫିଲ୍ମରେ ମୁଁ ବାଇକ୍ ଚଳାଉଥିବାର ଦୃଶ୍ୟ ରହିଛି।ବାଇକ୍ ଚଳାଇବା ଯୋଗୁଁ ଓଡ଼ିଆ ସିନେମାରେ ମୁଁ କାମ ପାଇଥିଲି।