ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌, ଜାଣିବା ପରେ ସଜ୍ଞାହୀନ ହେଲେ ବ୍ୟବସାୟୀଙ୍କ ସହଯୋଗୀ

ଢେଙ୍କିକୋଟ,୨୯।୬(ଡି.ଏନ୍‌.ଏ.): ଢେଙ୍କିକୋଠ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ ସାପ୍ତାହିକ ହାଟରୁ ଶନିବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ ହୋଇଛି। ବ୍ୟବସାୟୀ ମକରନ୍ଦ ସାହୁ ତାଙ୍କ ସହଯୋଗୀ ଟଙ୍କଧର ମହାନ୍ତଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୩ଲକ୍ଷ ଟଙ୍କାର ଚେକ୍‌ ଦେଇ ଟଙ୍କା ଆଣିବା ଲାଗି ପଠାଇଥିଲେ। ଟଙ୍କଧର ଟଙ୍କା ଉଠାଇବା ପରେ ପଚାଶ ହଜାର କାଢ଼ି ରଖି ଅଢ଼େଇ ଲକ୍ଷ ଟଙ୍କା ଏକ ବ୍ୟାଗ୍‌ରେ ରଖି ଗାଡ଼ି ଡିକିରେ ରଖିଥିଲେ। ପରେ ସେ ମକରନ୍ଦଙ୍କ ପୁଅଙ୍କ ଦୋକାନକୁ ଯାଇଥିଲେ। ମାତ୍ର ସେ କାମ ସାରି ଫେରିବା ପରେ ଗାଡି ଡିକି ଖୋଲାଯାଇଥିବା ଦେଖିବାକୁ ପାଇଥିଲେ। ଏଥିସହ ଗାଡ଼ିରେ ଟଙ୍କା ନ ଥିବା ଜାଣିବା ପରେ ସେ ସଜ୍ଞାହୀନ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣି ଛିଞ୍ଚି ଚେତାକୁ ଆଣିବା ପରେ ସେ ଢେଙ୍କିକୋଟ ଫାଣ୍ଡି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।