Advertisement

ବାଇକ୍‌ ଡିକିରୁ ସୁନା ଲୁଟ

ବ୍ରହ୍ମପୁର ଅଫିସ,୭-୮: ବ୍ରହ୍ମପୁର ସହରରେ ଏବେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ଟାଉନ ଥାନା ଇଲାକାରେ ଦୁର୍ବୃତ୍ତମାନେ ପୃଥକ ୨ ବାଇକ ଡିକିରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗତ ୨୫ ତାରିଖରେ ବିଜିପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକିରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ସୋମବାର ରାତିରେ ଟାଉନ ଥାନା ଅନ୍ତର୍ଗତ ମୟୁରୀ ଟାୱାର ସମ୍ମୁଖ ଗାଡି ପାର୍କିଂ ପ୍ଲେସରେ ଥିବା ଲୋକନାଥ ନାୟକଙ୍କ ବାଇକ ଡିକିରୁ ସୁନା ଗାଏବ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୧୫୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି। ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଲୋକନାଥ, ସ୍ତ୍ରୀଙ୍କ ସହ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଆସିଥିଲେ। ବଡବଜାରର ଏକ ଦୋକାନରୁ ୧ ଭରିର ସୁନା ଜିନିଷ କିଣି ଲୋକନାଥ ତାହାକୁ ନିଜ ବାଇକ ଡିକିରେ ରଖି ମୟୁରୀ ଟାୱାର ମାର୍କେଟ କମ୍ପ୍ଲେକ୍ସକୁ ଆସିଥିଲେ। ବାଇକ୍‌ଟି କମ୍ପ୍ଲେକ୍ସ ସମ୍ମୁଖ ପାର୍କିଂ ସ୍ଥାନରେ ରଖି ଡ୍ରେସ କିଣିବାକୁ ଯାଇଥିଲେ। କିଛି ସମୟ ପରେ ସେଠାରୁ ଫେରି ବାଇକ୍‌ ପାଖକୁ ଆସିବା ବେଳକୁ ଡିକିରୁ ସୁନା ଗାଏବ ହୋଇଥିବା ଦେଖିଥିଲେ। ଏ ନେଇ ଟାଉନ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଚଳାଇଥିଲା। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ବିଜିପୁର ଅଞ୍ଚଳର ଏସ.ରାମକୃଷ୍ଣ ପାତ୍ରଙ୍କ ବାଇକ ଉତ୍କଳ ଫ୍ଲାଇ ହାଉସ ନିକଟରେ ପାର୍କିଂରେ ଥିବା ବେଳେ ଡିକିରୁ ୧୨୬ ଗ୍ରାମର ଅଳଙ୍କାର, ମୋବାଇଲ ଓ ୪ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ଅଭିଯୋଗ ପରେ ପୋଲିସ ନଂ.୧୪୭/୧୯ରେ ମାମଲା ରୁଜୁ କରିଥିଲା। ହେଲେ ଏ ଯାଏ ଲୁଟେରାଙ୍କ ସୁରାକ୍‌ ପାଇନି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share