ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା ଲୁଟ୍‌ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ରାତି ୮ଟାରେ ବଡବିଲ ଅଞ୍ଚଳର ଦ୍ୱାରିକା ପ୍ରସାଦ ଶର୍ମା ବିଭିନ୍ନ ଗ୍ରୋସରୀ ଦୋକାନରୁ ବାକି ଥିବା ଟଙ୍କା ଆଦାୟ କରିବା ପାଇଁ ବାଇକ୍‌ ଯୋଗେ ଯୋଡା ଆସିଥିଲେ। ଆଦାୟ କରିବା ପରେ ଉକ୍ତ ଟଙ୍କାକୁ ସେ ବାଇକ୍‌ ଡିକିରେ ରଖିଥିଲେ। ପରେ ସେ ତାଙ୍କ ବାଇକ୍‌ଟି ରଖି ରାସ୍ତାର ଅନ୍ୟପାର୍ଶ୍ୱକୁ କୌଣସି କାମରେ ଯାଇଥିଲେ। ସେଠାରୁ କିଛି ସମୟ ପରେ ଫେରିବା ପରେ ତାଙ୍କ ବାଇକ୍‌ ଡିକି ଭାଙ୍ଗି ସେଥିରେ ଥିବା ୬୯ହଜାର ଟଙ୍କା ନ ଥିବା ସେ ଦେଖିବାକୁ ପାଇଥିଲେ। ଏହି ଟଙ୍କା ନ ଥିବା ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା (ନଂ.୨୦୭/୨୦୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share